ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ସ୍ପେସ୍ ଏକ୍ସର ଆକ୍ସିୟମ୍-୪ ମିଶନରେ ଯାଉଛନ୍ତି। ଶୁଭାଂଶୁଙ୍କ ମିଶନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି।
ଶୁଭାଂଶୁ ମହାକାଶକୁ ଯିବା ପୂର୍ବରୁ ତାଙ୍କ ପତ୍ନୀ କାମନା ଶୁକ୍ଲାଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ସେୟାର କରିଛନ୍ତି। ଏଥିସହିତ ସେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ଶୁଭାଂଶୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଯେହେତୁ ଆମେ ୨୫ ତାରିଖ ସକାଳେ ଏହି ଗ୍ରହ ଛାଡିବାକୁ ଯୋଜନା କରିଛୁ, ତେଣୁ ମୁଁ ମିଶନରେ ସାମିଲ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ଘରେ ଥିବା ସମସ୍ତ ଲୋକଙ୍କୁ ସେମାନଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ମଧ୍ୟ ଧନ୍ୟବାଦ।
ଜଣେ ମହାନ ସାଥୀ ହେବା ପାଇଁ କାମନା (ସ୍ତ୍ରୀ)ଙ୍କୁ ମୁଁ ବିଶେଷ ଧନ୍ୟବାଦ ଜଣାଉଛି। କୌଣସି ବ୍ୟକ୍ତି ଏକା ମହାକାଶ ଯାତ୍ରା କରନ୍ତି ନାହିଁ। ଏହି ଯାତ୍ରା ପାଇଁ ଆମ ପାଖରେ ଅନେକ ଲୋକଙ୍କ ସାହାଯ୍ୟ ଓ ସମର୍ଥନ ରହିଥାଏ। ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ। ଧନ୍ୟବାଦ।’
ଶୁଭାଂଶୁଙ୍କ ବାପା ପୁଅର ସଫଳତାକୁ ନେଇ କହିଛନ୍ତି, "ମୁଁ ମୋ ପିଲାର ଶୁଭକାମନା କରୁଛି। ଆଜି ମୋ ପିଲା ଏକ ମିଶନରେ ଯାଉଛି। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଯେଉଁ ମିଶନ ନେଇ ଯାଉଛି ତାହାକୁ ସଫଳତାର ସହ ପୂରଣ କରୁ। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମୋ ପୁଅର ମିଶନ ନିଶ୍ଚିତ ଭାବରେ ସମାପ୍ତ ହେବ।’
ଏହି କ୍ରମରେ ଶୁଭାଂଶୁ ଶୁକ୍ଳାଙ୍କ ମାଆ କହିଛନ୍ତି, "ଆଜି ମୁଁ ବହୁତ ଖୁସି। ମୁଁ ମୋର ଖୁସିକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ। ଆମେ ସମସ୍ତେ ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲୁ। ମୋ ପିଲା ମହାକାଶ ଅଭିମୁଖେ ଉଡ଼ୁଛି। ଆପଣମାନେ ତା୍ର ମିଶନର ସଫଳତା ପାଇଁ ପ୍ରାର୍ଥନା କରନ୍ତୁ।’
ଶୁଭାଂଶୁ ଶୁକ୍ଳାଙ୍କ ଭଉଣୀ ଶୁଚି ମିଶ୍ର ମଧ୍ୟ ତାଙ୍କ ଭାଇର ସଫଳତାରେ ଖୁସି ବ୍ୟକ୍ତ କରି କହିଛନ୍ତି, ‘ଭଗବାନଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ସେ ଯେଉଁ ମିଶନରେ ଯାଇଛି, ଭଗବାନ ତାକୁ ଏଥିରେ ସଫଳତା ଦିଅନ୍ତୁ। କାରଣ ସେ ତାର ମିଶନ ପାଇଁ କଠିନ ପରିଶ୍ରମ କରିଛି।’