ନୂଆଦିଲ୍ଲୀ: ମହାକାଶରୁ ଫେରିବା ପରେ ଶୁଭାଂଶୁ ଶୁକ୍ଳା ଆଜି ତାଙ୍କ ସହର ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସେ ସେଠାକୁ ୩ଦିନିଆ ଗସ୍ତରେ ଯାଇଛନ୍ତି। ସାରା ବିଶ୍ବରେ ନା କରିଥିବା ସୁନା ପୁଅ ଲକ୍ଷ୍ନୌରେ ପହଞ୍ଚିବା ପରେ ପରିବାର ତାଙ୍କୁ ଦେଖି ଖୁବ ଖୁସି ହୋଇଯାଇଥିବା ଜଣାଯାଇଛି। ହେଲେ ଏହି ଖୁସି ଭିତରେ ଏକ ଦୁଃଖ ଖବର ରହିଛି। ତାହା ହେଲା ଶୁଭାଂଶୁ ନିଜ ସହରକୁ ଯାଇ ମଧ୍ୟ ନିଜ ଘରକୁ ଯାଇପାରିବେ ନାହିଁ। ଲକ୍ଷ୍ନୌରେ ତାଙ୍କ ପିତାମାତା, ଭାଇଭଉଣୀ ଏବଂ ଅନେକ ସମ୍ପର୍କୀୟଙ୍କୁ ଭେଟିଥିବା ଶୁଭାଂଶୁ ନିଜ ପିଲାଦିନ କଟାଇଥିବା ଘରକୁ ଯାଇପାରିବେନି ବୋଲି ଜଣାଯାଇଛି। ସୁରକ୍ଷା କାରଣରୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ସାମ୍ନାକୁ ଆସିଛି।
ଶୁଭାଂଶୁ ସୋମବାର ସକାଳ ୮ଟା ୩୦ରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ବିମାନବନ୍ଦରରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କ ସ୍କୁଲ ସିଟି ମୋଣ୍ଟେସରିର ଛାତ୍ରଛାତ୍ରୀମାନେ ତାଙ୍କୁ ଫୁଲ ମାଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ୱାଗତ କରିଥିଲେ। ଏହା ପରେ, ଦିନସାରା ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରିବା ପାଇଁ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ମହାକାଶରୁ ଫେରିବା ପରେ ଶୁଭାଂଶୁ ଶୁକ୍ଳା ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀରେ ଥିଲେ, ଯାହା ପରେ ସେ ଆଜି ତାଙ୍କ ସହର ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଶୁଭାଂଶୁ ଆଜିଠାରୁ ତିନି ଦିନ ପାଇଁ ଏଠାରେ ରହିବେ। ଏଠାରେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିପାରିବେ କିନ୍ତୁ ପୁରୁଣା ସ୍ମୃତିକୁ ତାଜା କରିବା ପାଇଁ ତାଙ୍କ ଘରକୁ ଯାଇପାରିବେ ନାହିଁ। ଏହା ପଛରେ ସୁରକ୍ଷା ଏବ ବଡ଼ କାରଣ ବୋଲି କୁହାଯାଉଛି।