ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଅଭିମୁଖେ ଯାତ୍ରା କରିବା ପରେ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ୧.୪ ବିଲିୟନ ଭାରତୀୟଙ୍କ ସଦିଚ୍ଛା, ଆଶା ଓ ଆକାଂକ୍ଷାକୁ ବହନ କରୁଛନ୍ତି। ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ୪ ଜଣିଆ କ୍ରୁ ଡ୍ରାଗନ୍ କ୍ୟାପସୁଲ ସହ ସ୍ପେସ୍ଏକ୍ସର ଫାଲକନ୍-୯ ରକେଟ୍ ଅପରାହ୍ଣ ୧୨ଟା ୫ ମିନିଟ୍ରେ ଉଡ଼ାଣ ଭରିଥିଲା। ଭାରତ, ହଙ୍ଗେରୀ, ପୋଲାଣ୍ଡ ଓ ଆମେରିକାର ମହାକାଶଚାରୀଙ୍କୁ ନେଇ ମହାକାଶ ଅଭିଯାନର ସଫଳ ଉତ୍କ୍ଷେପଣକୁ ଆମେ ସ୍ୱାଗତ କରୁଛୁ। ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି। ସେ ୧.୪ ବିଲିୟନ ଭାରତୀୟଙ୍କ ସଦିଚ୍ଛା, ଆଶା ଓ ଆକାଂକ୍ଷାକୁ ନିଜ ସହିତ ବହନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମହାକାଶଯାନର ପାଇଲଟ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା ଓ ଅନ୍ୟ ତିନି ମହାକାଶଚାରୀଙ୍କ ସଫଳତା କାମନା କରିଥିଲେ। ଏହି ମିସନର ଚାରିଜଣ କ୍ରୁ ବିଭିନ୍ନ ଦେଶରୁ ଆସିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସ୍କୃତ ଶ୍ଳୋକ ‘ବସୁଧୈବ କୁଟୁମ୍ବକମ୍’ (ପୃଥିବୀ ଏକ ପରିବାର) ସହ ମିସନର ପ୍ରଶଂସା କରିଥିଲେ। ମୁର୍ମୁ କହିଥିଲେ, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଭାରତ ପାଇଁ ମହାକାଶରେ ଏକ ନୂଆ ମାଇଲସ୍ତମ୍ଭ ସ୍ଥାପନ କରିଥିବାବେଳେ ଜଣେ ଭାରତୀୟଙ୍କ ମହାକାଶଯାତ୍ରାକୁ ନେଇ ସମଗ୍ର ଦେଶ ଉତ୍ସାହିତ ଓ ଗର୍ବିତ। ସେ ଏବଂ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଚାରୀମାନେ ପ୍ରମାଣିତ କରନ୍ତି ଯେ ଦୁନିଆ ପ୍ରକୃତରେ ଏକ ପରିବାର- ‘ବସୁଧୈବ କୁଟୁମ୍ବକମ୍’। ସେ ଆହୁରି କହିଛନ୍ତି ଯେ କ୍ରୁମାନଙ୍କ ଦ୍ୱାରା ବ୍ୟାପକ ପରୀକ୍ଷଣ କରାଯିବା ଫଳରେ ବୈଜ୍ଞାନିକ ଅଧ୍ୟୟନ ଓ ମହାକାଶ ଅନୁସନ୍ଧାନର ନୂତନ ଦିଗ ସୃଷ୍ଟି ହେବ। ସଫଳ ଉଡ଼ାଣ ପରେ ଜୟ ହିନ୍ଦ୍, ଜୟ ଭାରତ ବୋଲି ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ କକ୍ଷପଥରୁ ତାଙ୍କର ପ୍ରଥମ ବାର୍ତ୍ତାରେ କହିଛନ୍ତି।