ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଗଠିତ ଆକ୍ସମ୍-୪ (ଆକ୍ସ-୪) ମିସନ ଜୁଲାଇ ୧୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରୁ ଫେରିବେ ବୋଲି କମ୍ପାନି ସୋସିଆଲ ମିଡିଆରେ ଘୋଷଣା କରିଛି। ଆକ୍ସମ୍ ସ୍ପେସ୍ ପକ୍ଷରୁ କୁହାଯାଇଛି ଯେ, ଅନୁକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆକ୍ସମ୍ ମିସନ-୪ର କ୍ରୁମାନେ ଜୁଲାଇ ୧୪ ତାରିଖ ସୋମବାର ସକାଳ ୭ଟା ୫ ମିନିଟ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡ଼ିବେ। 
ଆମେରିକାର ଏହି ମହାକାଶ ସଂସ୍ଥା କହିଛି ଯେ କମାଣ୍ଡର ପେଗି ହ୍ୱିଟସନ, ପାଇଲଟ ଶୁଭାଂଶୁ ‘ଶୁକ୍ସ’ ଶୁକ୍ଳା, ମିସନ ସ୍ପେସାଲିଷ୍ଟ ସାଓଜ୍‌ ‘ସୁଏଭ’ ଉଜନାସ୍କି-ୱିଜନିଉସ୍କି ଓ ଟିବୋର କାପୁ କକ୍ଷପଥରେ ସେମାନଙ୍କର ଶେଷ ଦିନର ସଦୁପଯୋଗ କରୁଛନ୍ତି, ଯାହା ମହାକାଶ ଅନୁସନ୍ଧାନର ଭବିଷ୍ୟତକୁ ଆକାର ଦେଇପାରିବ। ଚଳିତ ସପ୍ତାହ ପ୍ରାରମ୍ଭରେ ପୋଲାଣ୍ଡର ମହାକାଶଚାରୀ ଉଜନାସ୍କି-ୱିଜନିଉସ୍କିଙ୍କୁ ନିୟୋଜିତ କରିଥିବା ୟୁରୋପୀୟ ମହାକାଶ ଏଜେନ୍ସି କ୍ରୁ ମେମ୍ବରଙ୍କ ପ୍ରତ୍ୟାବର୍ତ୍ତନ ଜୁଲାଇ ୧୪ରେ ହେବ ବୋଲି କହିଥିଲା। କାର୍ଯ୍ୟସୂଚୀ ଅନୁଯାୟୀ, ନିମ୍ନ କକ୍ଷପଥରେ ସେମାନଙ୍କ ରହଣି ଅବଧି ଦୁଇ ସପ୍ତାହ ପାଇଁ ଥିଲା, ଯାହା ଜୁଲାଇ ୧୦ରେ ଶେଷ ହେବା କଥା। ସ୍ପେସ୍ ଏକ୍ସ-୪ ଅଭିଯାନ ଜୁନ୍ ୨୬ରେ ସ୍ପେସ୍‌ଏକ୍ସ ଡ୍ରାଗନ୍ ମହାକାଶଯାନ ‘ଗ୍ରେସ୍’ ଆଇଏସ୍ଏସ୍‌ରେ ଅବତରଣ କରିବା ପରଠାରୁ ଏହି କ୍ରୁମାନେ ୩୧ଟି ଦେଶକୁ ପ୍ରତିନିଧିତ୍ୱ କରୁଥିବା ୬୦ଟି ପରୀକ୍ଷଣରେ ନିୟୋଜିତ ହୋଇଛନ୍ତି। ଏଥିରେ ଉନ୍ନତ ବୈଜ୍ଞାନିକ ଅଧ୍ୟୟନ କରାଯାଇଛି ଓ ନୂତନ ଜ୍ଞାନକୌଶଳର ପରୀକ୍ଷଣ କରାଯାଇଛି ବୋଲି ଆକ୍ସମ୍ ସ୍ପେସ୍ କହିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରତିନିଧିତ୍ୱ କରୁଥିବା ଶୁକ୍ଳା ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଓ ବିକଶିତ ୭ଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରୁଛନ୍ତି।