କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବିତରଣ କାର୍ଯ୍ୟକ୍ରମରେ ଦଳାଚକଟା। ଚାଲିଗଲା ୩ମହିଳାଙ୍କ ଜୀବନ। ପଶ୍ଚିମ ବର୍ଦ୍ଧମାନର ଆସାନସୋଲରେ ବୁଧବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି। ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଭିଡ଼ ଜମିବା ପରେ ଦଳାଚକଟା ଆରମ୍ଭ ହୋଇଥିଲା। ସୂଚନାନୁସାରେ, ଦଳାଚକଟା ଯୋଗୁଁ ତିନି ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଶୁଭେନ୍ଦୁ ଅଧିକାରୀ ତାଙ୍କ ଭାଷଣ ଶେଷ କରି ବାହାରକୁ ଆସିବା ପରେ ଏହି ଘଟଣା ଘଟିଥିଲା। ଏହି କାର୍ଯ୍ୟକ୍ରମର ଆୟୋଜନ ଆସାନସୋଲର ପୂର୍ବତନ ମେୟର ତଥା ବିଜେପି ନେତା ଜିତେନ୍ଦ୍ର ତିୱାରୀ କରିଥିଲେ। ଘଟଣା ପରେ ଆହତମାନଙ୍କୁ ଆସାନସୋଲ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଟିଏମସି ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛି। ଟିଏମସି ମୁଖପାତ୍ର କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ପୁଲିସର ଅନୁମତି ବିନା ବିଜେପି ଏହି ବେଆଇନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଏଭଳି କରି ବିଜେପି ଗରିବ ଲୋକଙ୍କ ଜୀବନ ସହିତ ଖେଳିଛି। ମୁଁ ବିଜେପି ନେତାମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ଏହି ପାଗଳ ବ୍ୟକ୍ତିଙ୍କୁ ନିଜ ଦଳର ଦାୟିତ୍ବ ଦେଇ କ’ଣ କରୁଛନ୍ତି? ଏହି ଘଟଣା ପାଇଁ ଶୁଭେନ୍ଦୁ ଅଧିକାରୀ କ୍ଷମା ମାଗିବା ଉଚିତ୍। ଏହି ଦୁର୍ଘଟଣା ପାଇଁ ତାଙ୍କୁ କାହିଁକି ଦାୟୀ କରାଯିବ ନାହିଁ?
ତେବେ ଆସାନସୋଲ ପୁଲିସ ସୂତ୍ରରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମ ପାଇଁ ବିଜେପି କୌଣସି ଅନୁମତି ନେଇ ନଥିଲା।