ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ୩ମ୍ୟାଚ୍ ବିଶିଷ୍ଟ ଓଡିଆଇ ପାଇଁ ଘୋଷିତ ହୋଇଥିବା ଦଳ ଭାରତୀୟ କ୍ରିକେଟର ଭବିଷ୍ୟତକୁ ଦର୍ଶାଉଛି। ଟି-୨୦ର ଅଧିନାୟକତ୍ୱ ପାଇଁ ଦୌଡ଼ରେ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବ। ଋଷଭ ପନ୍ତଙ୍କୁ ମଧ୍ୟ ଜଣେ ପ୍ରତିଯୋଗୀ ଭାବରେ ବିବେଚନା କରାଯାଇଥିଲା। କିନ୍ତୁ ଶେଷରେ ସୂର୍ଯ୍ୟକୁମାର ଯାଦବଙ୍କ ନାମ ଧାର୍ଯ୍ୟ କରାଯାଇଥିଲା।

Advertisment

ଅନ୍ୟପକ୍ଷରେ, ଚୟନକର୍ତ୍ତାମାନେ ଶୁଭମନ୍ ଗିଲଙ୍କୁ ଏକ ବଡ଼ ଦାୟିତ୍ୱ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ନୂତନ କୋଚ୍ ଗୌତମ ଗମ୍ଭୀରଙ୍କ ତତ୍ତ୍ୱାବଧାନରେ ଗିଲଙ୍କୁ ଏକ ବଡ଼ ପଦୋନ୍ନତି ମିଳିଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦  ଏବଂ ଓଡିଆଇ ସିରିଜ୍ ପାଇଁ ଶୁଭମାନ ବର୍ତ୍ତମାନ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହୋଇଛନ୍ତି। ଟି-୨୦ରେ ସେ ସୂର୍ଯ୍ୟକୁମାର ଯାଦବଙ୍କ ଉପ-ଅଧିନାୟକ ହେବା ସହ ଓଡିଆଇରେ ରୋହିତ ଶର୍ମାଙ୍କ ଉପ-ଅଧିନାୟକ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଶୁଭମାନ ଗିଲ ଭବିଷ୍ୟତର ଅଧିନାୟକ ବୋଲି ବିଶ୍ୱାସ କରାଯାଉଛି। ଜିମ୍ବାୱେ ସିରିଜ୍ ସମୟରେ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଗିଲ୍ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଗ୍ରହଣ କରିଥିଲେ।

ତେବେ ଚୟନକର୍ତ୍ତାମାନେ ଗିଲଙ୍କୁ କ’ଣ ପାଇଁ ବଡ଼ ଦାୟିତ୍ବ ଦେଉଛନ୍ତି, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। କୁହାଯାଉଛି ଯେ, ଗିଲଙ୍କ ବୟସ କମ ଥିବାରୁ ଚୟନକର୍ତ୍ତାମାନେ ତାଙ୍କୁ ଏବେଠୁ ଭାରତୀୟ ଟିମର ଅଧିନାୟକତ୍ବ ପାଇଁ ପ୍ରସ୍ତୁତ କରୁଛନ୍ତି। ଓଡିଆଇ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ବର୍ତ୍ତମାନ ୩୭ବର୍ଷ ବୟସ। ନୂତନ ଟି-୨୦ର ଅଧିନାୟକ ସୂର୍ଯ୍ୟଙ୍କୁ ୩୩ବର୍ଷ ବୟସ। ଏହି ସମୟରେ ଶୁଭମନ ଗିଲଙ୍କୁ ବର୍ତ୍ତମାନ ୨୪ବର୍ଷ ବୟସ ହୋଇଛି। ଏଭଳି ପରିସ୍ଥିତିରେ, ଅଧିନାୟକତ୍ୱ ଦୃଷ୍ଟିରୁ ଗିଲଙ୍କୁ ଅଧିକ ପରିପକ୍ୱ କରିବାର ସୁଯୋଗ ରହିଛି।

ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଥିଲେ ବି ତାଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠୁଥିବାରୁ ତାଙ୍କୁ ଅଧିନାୟକ କରିବାକୁ ଚିନ୍ତା କରୁନାହିଁ ବିସିସିଆଇ ।