ଶୁଭେନ୍ଦୁ ଅଧିକାରୀଙ୍କ ପିତା ବିଜେପିରେ ସାମିଲ: ପୁଅ ଦିବ୍ୟେନ୍ଦୁ ବି ବିଜେପିରେ ମିଶିବେ, ଅମିତ ଶାହଙ୍କ ରୢାଲିରେ ଯୋଗଦେଲେ

ଅଧିକାରୀ ପରିବାର ବିଶ୍ବାସଘାତକ: ମମତା

କୋଲକାତା: ତୃଣମୂଳ କଂଗ୍ରେସର ଅସନ୍ତୁଷ୍ଟ ସାଂସଦ ଶିଶିର ଅଧିକାରୀଙ୍କୁ ନେଇ କିଛି ସପ୍ତାହ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରୢାଲିରେ କାଂଥି ସାଂସଦ ଶିଶିର ‘ଭାରତ ମାତା କି ଜୟ’ ଏବଂ ‘ଜୟ ଶ୍ରୀରାମ’ ଧ୍ବନି ଦେଇ ବିଜେପି ଯୋଗ ଦେଇଛନ୍ତି। ଏହା ପୂର୍ବରୁ ତାଙ୍କ ଦୁଇ ପୁଅ ଶୁଭେନ୍ଦୁ ଏବଂ ସୌମେନ୍ଦୁ ବିଜେପିରେ ମିଶି ସାରିଛନ୍ତି। ଏହି ମିଶ୍ରଣ ପର୍ବରେ ଶିଶିର କହିଛନ୍ତି, ତୃଣମୂଳର ସଂଗଠନକୁ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରିବା ସତ୍ତ୍ବେ ତାଙ୍କୁ ଏବଂ ତାଙ୍କ ଦୁଇ ପୁତ୍ରଙ୍କ ସହ ଏଭଳି ବ୍ୟବହାର କରାଗଲା ଯେ ସେମାନେ ଦଳ ବଦଳାଇବାକୁ ବାଧ୍ୟ ହେଲେ। ଆମେ ପଶ୍ଚିମବଙ୍ଗରେ ଟିଏମ୍‌ସିର ରାଜନୈତିକ ହିଂସା ଓ ଅତ୍ୟାଚାର ବିରୋଧରେ ଲଢ଼େଇ କରିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କାମ କରିବୁ ବୋଲି ଶିଶିର କହିଛନ୍ତି। ଶିଶିରଙ୍କ ଅନ୍ୟଜଣେ ପୁଅ ଦିବ୍ୟେନ୍ଦୁ ଅଧିକାରୀ ମଧ୍ୟ ଖୁବ୍‌ ଶୀଘ୍ର ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି।

ଅଧିକାରୀ ପରିବାର ବିଶ୍ବାସଘାତକ: ମମତା
କୋଲକାତା: ‘ପୂର୍ବ ମେଦିନୀପୁର ଜିଲ୍ଲାର ପ୍ରଭାବଶାଳୀ ଅଧିକାରୀ ପରିବାର ବିଶ୍ବାସଘାତକ। ଏହି ଧୋକାବାଜ ପରିବାର ବେଆଇନ ଉପାୟରେ ପାଞ୍ଚ ହଜାର କୋଟି ଟଙ୍କାର ସାମ୍ରାଜ୍ୟ ଠିଆ କରିଛି। ସେମାନେ ବିଭିନ୍ନ ଉଚ୍ଚ ପଦ ପଦବୀରେ ରହି କୋଟିକୋଟି ଟଙ୍କା ହଡ଼ପ କରିଛନ୍ତି’ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏଥିପାଇଁ ସେ ନିଜକୁ ଦୋଷୀ ମନେ କରୁଥିବା ଆଜି ଏକ ରୢାଲିରେ କହିଛନ୍ତି। ତୃଣମୂଳ କ୍ଷମତାକୁ ଆସିଲେ ଏସବୁର ତଦନ୍ତ କରାଯିବ। ତୃଣମୂଳ ଛାଡ଼ି ଶୁଭେନ୍ଦୁଙ୍କ ପିତା ଆଜି ବିଜେପିରେ ସାମିଲ ହେବାପରେ ମମତା ଏଭଳି ମତ ରଖିଛନ୍ତି। ଅନ୍ୟପକ୍ଷରେ ଶୁଭେନ୍ଦୁ ଓ ତାଙ୍କ ସାଂସଦ ପିତା ଶିଶିର ମଧ୍ୟ ମମତାଙ୍କ ବିରୋଧରେ ଗର୍ଜିଛନ୍ତି।

ସମ୍ବନ୍ଧିତ ଖବର