ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତ୍ୟେକ କ୍ରିକେଟ୍ ମ୍ୟାଚ୍ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟର ସ୍ପନ୍ଦନ ବୃଦ୍ଧି କରେ। ଆଜି ଦୁଇ ଦଳ ଏସିଆ କପ୍ ୨୦୨୫ର ଫାଇନାଲରେ ମୁହାଁମୁହିଁ ହେବେ। ଏହି ଟକ୍କର ଦେଖିବାକୁ ଏବେ ଭାରତବାସୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ୪୧ ବର୍ଷ ପରେ ଏବଂ ୧୬ ସଂସ୍କରଣରେ ପ୍ରଥମ ଥର ପାଇଁ, ଭାରତ ଏବଂ ପାକିସ୍ତାନ ଏସିଆ କପ୍ ଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ମ୍ୟାଚ୍ ଆଜି, ରବିବାର ରାତି ୮ଟାରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଏହି ଟ୍ରଫି ଟକ୍କର ଉପରେ ସମଗ୍ର କ୍ରିକେଟ୍ ଦୁନିଆର ନଜର ରହିଛି। ଚର୍ଚ୍ଚା, ସହର ବଜାରଠାରୁ ଆରମ୍ଭ କରି ଗଳି କନ୍ଦି ପର୍ଯ୍ୟନ୍ତ ବ୍ୟାପିଛି। ସବୁଠି ଏହି ମ୍ୟାଚ୍କୁ ନେଇ ହେଉଛି ଆଲୋଚନା ଓ ପର୍ଯ୍ୟାଲୋଚନା। ସେଥିପାଇଁ ସୁପର୍ ସନ୍ଡେର ଏହି ସୁପର୍ ମୁକାବିଲା କେବଳ ଆଉ ଏକ କ୍ରିକେଟ୍ ମ୍ୟାଚ୍ରେ ସୀମିତ ରହିନାହିଁ। ଏହା ଏକପ୍ରକାର ଅଘୋଷିତ କ୍ରୀଡ଼ାଯୁଦ୍ଧରେ ପରିଣତ ହୋଇଛି। ଉଭୟ ଦଳ ପରସ୍ପରକୁ ହରାଇ ବିଜେତା ହେବାର ଦମ୍ଭ ଭରୁଥିଲା ବେଳେ ଭାରତର ପଲା କିନ୍ତୁ ପୂରା ଭାରି ରହିଛି। କାରଣ ପାକିସ୍ତାନର ଗର୍ବ, ଅହଂକାରକୁ ଦଳି ପ୍ରଥମେ ଲିଗ୍ ଏବଂ ପରେ ସୁପର-୪ରେ ଏହି ଅସ୍ଥିର ଦଳ ଉପରେ ଆଧିପତ୍ୟଭରା ବିଜୟ ପାଇଛି ଟିମ୍ ଇଣ୍ଡିଆ। ରବିବାର ପୁଣି ଥରେ ବିଜୟର ସେହି ମିଠାମିଠା ସ୍ବାଦ ଚାଖିବାକୁ ଲକ୍ଷ୍ୟ ରଖିଛି ସୂର୍ଯ୍ୟକୁମାରଙ୍କ ଅପରାଜେୟ ସେନା।
ଚିର ଶତ୍ରୁ ଦଳକୁ ଲଗାତାର ତୃତୀୟ ଥର ହରାଇ ୧୪୫ କୋଟି ଭାରତୀୟଙ୍କୁ ଆଗୁଆ ଦଶହରା ଭେଟି ଦେବାର ଆଶାରେ ଅଛି। ରବିବାର ରାତି ୮ଟାରୁ ଭାରତୀୟ କ୍ରିକେଟ୍ ଦଳ ଏହି ବହୁ ପ୍ରତୀକ୍ଷିତ ମହାଲଢ଼େଇକୁ ଓହ୍ଲାଇବ। ଆପଣ ଏହି ମହାମୁକାବିଲାର ଲାଇଭ୍ ଭିଜୁଆଲ୍ ସୋନି ସ୍ପୋର୍ଟସ୍ ନେଟୱାର୍କରେ ଦେଖିପାରିବେ। ଦର୍ଶକମାନେ ସୋନି ସ୍ପୋର୍ଟସ୍ର ବିଭିନ୍ନ ଚ୍ୟାନେଲ୍ରେ (ସୋନି ସ୍ପୋର୍ଟସ୍ ୧, ୨, ୩, ଏବଂ ୫) ମ୍ୟାଚ୍ଗୁଡ଼ିକୁ ସିଧାସଳଖ ଦେଖିପାରିବେ। ଡିଜିଟାଲ୍ ପ୍ଲାଟଫର୍ମରେ ଲାଇଭ୍ ଷ୍ଟ୍ରିମିଂ ସୋନି ଲିଭ୍ ଆପ୍ ଏବଂ ୱେବସାଇଟରେ ଉପଲବ୍ଧ ହେବ। ମ୍ୟାଚ୍ଗୁଡ଼ିକୁ ଆକ୍ସେସ୍ କରିବା ପାଇଁ ବ୍ୟବହାରକାରୀଙ୍କୁ ଏକ ସବସ୍କ୍ରିପସନ୍ ଆବଶ୍ୟକ ହେବ।
ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ହେଉଛି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ହାଇ-ଭୋଲଟେଜ ଫାଇନାଲ୍ ଡିଡି ସ୍ପୋର୍ଟସ୍ ଚ୍ୟାନେଲରେ ମଧ୍ୟ ମାଗଣାରେ ପ୍ରସାରିତ ହେବ। ଏହାର ଅର୍ଥ ହେଉଛି ଯଦି ଆପଣଙ୍କର ଡିଟିଏଚ୍ କିମ୍ବା କେବୁଲ ସଂଯୋଗ ଅଛି, ତେବେ ଆପଣ କୌଣସି ଅତିରିକ୍ତ ଦେୟ ବିନା ଆପଣଙ୍କ ଟିଭିରେ ମ୍ୟାଚ୍ ଲାଇଭ୍ ଦେଖିପାରିବେ।
ଟସ୍ ସନ୍ଧ୍ୟା ୭:୩୦ରେ ଭାରତୀୟ ସମୟ ଅନୁସାରେ ହେବ। ପିଚ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଶା କରାଯାଉଛି ଯେ, ଟସ୍ ଜିତିଲା ପରେ ଅଧିନାୟକ କାକରର ଫାଇଦା ନେବା ପାଇଁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବେ। ପୂର୍ବ ଦୁଇଟି ମ୍ୟାଚ୍ରେ ପାକିସ୍ତାନ ଭିନ୍ନ ରଣନୀତି ଅବଲମ୍ବନ କରିଥିଲା। କିନ୍ତୁ ଭାରତ ଉଭୟ ଥର ବିଜୟୀ ହୋଇଥିଲା।
ଯଦି ଆମେ ଦୁବାଇର ପାଣିପାଗ ବିଷୟରେ କହିବା ତେବେ ଏକ୍ୟୁୱେଦରର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୮ ତାରିଖରେ ଦୁବାଇର ତାପମାତ୍ରା ୩୮ଡିଗ୍ରୀ ସେଲସିୟସରେ ପହଞ୍ଚିବ। କିନ୍ତୁ ଆର୍ଦ୍ରତା, ପବନ ଓ ଖରା ପାଇଁ ଏହା ୪୨ଡିଗ୍ରୀ ସେଲସିୟସ ଭଳି ଅନୁଭବ ହେବ।
Asia Cup-2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/28/new-project-5-2025-09-28-13-02-10.jpg)