ଅଯୋଧ୍ୟାରେ ରାମ ମନ୍ଦିର, ଲକ୍ଷ୍ନୌରେ ମସ୍‌ଜିଦ୍‌ ନିର୍ମାଣ ହେଉ : ସିଆ ଓ୍ଵାକଫ୍‌ ବୋର୍ଡ

ନୂଆଦିଲ୍ଲୀ: ସିଆ କେନ୍ଦ୍ରୀୟ ଓ୍ଵାକଫ ବୋର୍ଡ ବାବ୍ରୀ ମସଜିଦ୍‌-ରାମ ଜନ୍ମଭୂମି ବିବାଦର ଏକ ନୂଆ ସମାଧାନ ଲାଗି ପ୍ରସ୍ତାବ ଦେଇଛି । ପ୍ରସ୍ତାବ ଅନୁଯାୟୀ ରାମ ମନ୍ଦିର ଅଯୋଧ୍ୟାରେ ନିର୍ମାଣ କରାଯାଇ ଲକ୍ଷ୍ନୌରେ ଏକ ମସ୍‌ଜିଦ୍‌ ଗଢାଯାଉ ।

ଏ ସଂପର୍କରେ ମତାମତ ଦେବା ସମୟରେ ସିଆ କେନ୍ଦ୍ରୀୟ ଓ୍ଵାକଫ୍‌ ବୋର୍ଡର ଅଧ୍ୟକ୍ଷ ସୟଦ ଓ୍ଵାସିମ୍‌ ରିଜଭି କହିଛନ୍ତି ଯେ ବିବାଦ ସହ ଜଡ଼ିତ ସମସ୍ତ ପକ୍ଷ ସହ ଆଲୋଚନା ପରେ ଏହି ପ୍ରସ୍ତାବ ଦିଆଯାଇଛି । ‘ବାବ୍ରୀ ମସ୍‌ଜିଦ୍‌-ରାମମନ୍ଦିର ବିବାଦ ସହ ଜଡ଼ିତ ସମସ୍ତ ପକ୍ଷ ସହ ସବିଶେଷ ଆଲାଚନା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ଲକ୍ଷ୍ନୌରେ ମସ୍‌ଜିଦ ନିର୍ମାଣ ପ୍ରସ୍ତାବ ଗୃହୀତ ହୋଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି ରିଜଭ୍‌ୀ । ଏହି ସମାଧାନ ପନ୍ଥା ଦେଶରେ ଶାନ୍ତି ରକ୍ଷା କରିବା ସହ ଦୁଇ ସଂପ୍ରଦାୟ ମଧ୍ୟରେ ଭାଇଚାରା ବଜାୟ ରଖିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସିଆ ଓ୍ଵାକିଫ୍‌ ବୋର୍ଡର ଏହି ବୟାନ ଆସିବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ରିଜ୍‌ଭି କହିଥିଲେ ଯେ ଏହା ଶାନ୍ତିପୂର୍ଣ୍ଣ ଭାବେ ନିଷ୍ପତ୍ତି ହୋଇଛି କି ଅଯୋଧ୍ୟା କିମ୍ବା ଫୈଜାବାଦ୍‌ରେ ନୂତନ ମସ୍‌ଜିଦ୍‌ ନିର୍ମାଣ କରାଯିବ ନାହିଁ । ରାଜ୍ୟର ଏକ ମୁସଲମାନ୍‌ ବହୁଳ ଅଞ୍ଚଳରେ ମସ୍‌ଜିଦ୍‌ ନିର୍ମାଣ ଲାଗି ସ୍ଥାନ ଚିହ୍ନଟ କରି ବୋର୍ଡ ସରକାରଙ୍କୁ ଜଣାଇବ । ଏଥିପୂର୍ବରୁ ବିବାଦ ସମାଧାନ ନେଇ ଅନୁଷ୍ଠିତ ଏକ ବୈଠକରେ ଅଖିଳ ଭାରତୀୟ ଆଖଡା ପରିଷଦ ଅଯୋଧ୍ୟାରେ କିମ୍ବା ଫୈଜାବାଦ୍‌ରେ ମସ୍‌ଜିଦ୍‌ ନିର୍ମାଣକୁ ବିରୋଧ କରିଥିଲା । ଏହି ବୈଠକରେ ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନିତ୍ୟଗୋପାଳ ଦାସ ଉପସ୍ଥିତ ଥିଲେ ।

ଉଲ୍ଲେଖ୍ୟଯୋଗ୍ୟ କି ବାବ୍ରୀ ମସ୍‌ଜିଦ୍‌ ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ନେବାର ଆଇନଗତ ଅଧିକାର କେବଳ ସିଆ କେନ୍ଦ୍ରୀୟ ଓ୍ଵାକଫ୍‌ ବୋର୍ଡର ରହିଛି ।

ସମ୍ବନ୍ଧିତ ଖବର