ଆରପାରିରେ ସିଆଚେନ୍‌ ହିରୋ କର୍ଣ୍ଣେଲ୍‌ ନରେନ୍ଦ୍ର କୁମାର

ନୂଆଦିଲ୍ଲୀ : ପୁରୁଣା ବର୍ଷ ୨୦୨୦ ଦେଶବାସୀଙ୍କୁ ଅମ୍ଫାନ ବାତ୍ୟା ଓ ମହାମାରୀ କୋଭିଡ୍‌ ପରି ଦୁର୍ବିପାକ ସମର୍ପି ଦେଇ ଅନେକ କିଛି ଛଡ଼େଇ ନେଇଛି। ବର୍ଷର ଶେଷ ଦିବସରେ ସିଆଚେନ୍‌ ହିରୋ କର୍ଣ୍ଣେଲ ନରେନ୍ଦ୍ର ‘ବୁଲ୍‌’ କୁମାର ଆରପାରିକୁ ଚାଲିଯିବା ଖୁବ୍‌ ଯନ୍ତ୍ରଣାଦାୟକ ହୋଇଛି। ସିଆଚେନ୍‌ ଗ୍ଲାସିଅରକୁ ବାଟ ଫିଟାଇ ହିମାଳୟ ଶୀର୍ଷରେ ଦେଶକୁ ଅଭୂତପୂର୍ବ ସୁରକ୍ଷା ଯୋଗାଇଥିବା କର୍ଣ୍ଣେଲ ନରେନ୍ଦ୍ର କୁମାର(ଅବସରପ୍ରାପ୍ତ) ୮୭ ବର୍ଷ ବୟସରେ ଡିସେମ୍ବର ୩୧ ତାରିଖରେ ହିଁ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ପାକିସ୍ତାନର ରାଓଲପିଣ୍ଡିରେ ୧୯୩୩ ମସିହାରେ ଜନ୍ମିତ ନରେନ୍ଦ୍ର କୁମାର ୧୯୭୮ ମସିହାରେ ବିଶ୍ବର ତୃତୀୟ ଉଚ୍ଚତମ ଗିରିଶୃଙ୍ଗ କାଞ୍ଚନଜଙ୍ଗା ଆରୋହଣ କରିବାର ସୌଭାଗ୍ୟ ଅର୍ଜ୍ଜନ କରିଥିଲେ। ସେହିପରି ସେ ଭାରତୀୟ ସେନାବାହିନୀ ପକ୍ଷରୁ ୯ ଥର ୨୪ ହଜାର ଫୁଟରୁ ଉଚ୍ଚ ବିଭିନ୍ନ ହିମାଳୟ ପର୍ବତଶ୍ରେଣୀର ବିଭିନ୍ନ ଶିଖର ଛୁଇଁ ପାରିଥିଲେ। ତେବେ ନିଜର ବିଚକ୍ଷଣ ପର୍ବତାରୋହଣ ଅଭିଜ୍ଞତାକୁ ପାଥେୟ କରି ୧୯୮୪ ଏପ୍ରିଲ ମାସରେ ସେ ଭାରତୀୟ ସ୍ଥଳବାହିନୀର ସୈନିକମାନଙ୍କୁ ସିଆଚେନ୍‌ ଗ୍ଲାସିଆରରେ ପହଞ୍ଚାଇବାରେ ପଥପ୍ରଦର୍ଶକ ସାଜିଥିଲେ। ଏପରିକି ସେମାନେ ପାହାଡ଼ ପରେ ପାହାଡ଼ ଚଢ଼ି ଉପରକୁ ଉଠୁଥିଲା ବେଳେ ପାକିସ୍ତାନ ବାୟୁସେନା ତାହା ଜାଣିପାରି ଭାରତୀୟ ଯବାନମାନଙ୍କୁ ପଥଚ୍ୟୁତ କରିବା ଲାଗି ଉଡ଼ାଜାହାଜରୁ ବାରମ୍ବାର ରଙ୍ଗିନ ବାଷ୍ପ ପ୍ରୟୋଗ କରିଥିଲା। ମାତ୍ର ନରେନ୍ଦ୍ର କୁମାରଙ୍କ ଅଦମ୍ୟ ଉଦ୍ୟମ ବଳରେ ଭାରତୀୟ ସେନା ସିଆଚେନ ଶୀର୍ଷରେ ପହଞ୍ଚିପାରିଥିଲା। ଅପରପକ୍ଷେ, ସେଠାରେ ଭାରତୀୟ ଯବାନମାନେ ସାଲତୋରୋ ଶିଖରକୁ ଏପରି କବ୍‌ଜା କରିନେବେ ବୋଲି ପାକିସ୍ତାନ ସେନା ଆଦୌ ଠଉରେଇ ପାରିନଥିଲା। ଫଳରେ ଭାରତ ବିଶ୍ବର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚେନ୍‌କୁ ଦଖଲ କରିନେଇଥିଲା। ଭାରତ ପାଇଁ ଏଭଳି ଅଭୂତପୂର୍ବ ସଫଳତା ଆଣିଥିବା ସ୍ବର୍ଗତ କର୍ଣ୍ଣେଲ୍‌ଙ୍କ ପାର୍ଥିବ ଶରୀରକୁ ଆଜି ନୂଆବର୍ଷ ଅବସରରେ ନୂଆଦିଲ୍ଲୀ ସ୍ଥିତ ଆର୍ମିର ବ୍ରାର ଛକରେ କବର ଦିଆଯାଇଛି।

ସମ୍ବନ୍ଧିତ ଖବର