କଳା ପଡ଼ିଲା ଅରୁଣାଚଳର ସିଆଙ୍ଗ ନଦୀ ପାଣି : ଚୀନର ହାତ ସଂଦେହ

ଗୌହାଟୀ: ଉତ୍ତର ଅରୁଣାଚଳ ପ୍ରଦେଶର ଜୀବନଧାରା ବୋଲି କୁହାଯାଉଥିବା ତଥା ବ୍ରହ୍ମପୁତ୍ର ନଦୀର ପ୍ରମୁଖ ଉପନଦୀ ସିଆଙ୍ଗ ନଦୀ ପ୍ରବଳ ଭାବେ ଦୂଷିତ ହୋଇଯାଇଥିବାରୁ ତାହା ସାଧାରଣ ଲୋକ ଓ ଜୀବଜନ୍ତୁଙ୍କ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ତିବ୍ଦତରୁ ଆସୁଥିବା ଏହି ନଦୀ ଦୂଷିତ ହେବା ପଛରେ ଚୀନର ହାତ ଥିବା ସଂଦେହ କରାଯାଉଛି ।
କେବଳ ବର୍ଷା ଦିନକୁ ଛାଡିଦେଲେ ବର୍ଷର ଅନ୍ୟ ସମୟ କାଚକେନ୍ଦୁ ପରି ସ୍ୱଚ୍ଛ ପାଣି ରହୁଥିବା ଏହି ନଦୀର ପାଣି ଗତ କିଛି ମାସ ଧରି କଳା ପଡିଯାଇଥିବାରୁ ତାହା ସ୍ଥାନୀୟ ଜନସାଧାରଣ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ଏ ନେଇ ପୂର୍ବ ସିଆଙ୍ଗ ଜିଲ୍ଲାର ଡେପୁଟି କମିଶନର ତମୟୋ ତତକ୍‌ କହିଛନ୍ତି ଯେ ଏବେ ଏହି ନଦୀପାଣି ମଣିଷ ଓ ଜୀବଜନ୍ତୁଙ୍କ ବ୍ୟବହାର ଉପଯୋଗୀ ରହିନାହିଁ, କାରଣ ଏଥିରେ ସିମେଣ୍ଟ ପରି କିଛି ପଦାର୍ଥ ମିଶିକରି ଆସୁଛି । ଗତ ଦେଢ ମାସ ହେଲେ ଏହି କାରଣରୁ ନଦୀରେ ଥିବା ଅନେକ ମାଛ ମରି ଭାସୁଥିବା ଦେଖାଯାଉଛି ।


“ଗତ ବର୍ଷା ଦିନେ ଏହି ନଦୀର ପାଣି ଗୋଳିଆ ଆସିବା ପରେ ଆମେ ଭାବୁଥିଲୁ ଯେ ଉପମୁଣ୍ଡରେ ବନ୍ୟାପାଣି ଆସିବା ଯୋଗୁଁ ପାଣି ଏପରି ହେଉଛି । କିନ୍ତୁ ଏବେ ବର୍ଷା ଦିନ ଚାଲିଯାଇଛି, ତଥାପି ପାଣି ଗୋଳିଆ ରହିଛି । ନଭେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ନଦୀର ପାଣି ବେଶ ସ୍ୱଚ୍ଛ ଥାଏ । କିନ୍ତୁ ଏବେ ତାହା କଳା ଓ ଦୂଷିତ ରହିଛି । ଏପରିକି ମୋ ଜେଜେମା ମଧ୍ୟ ତାଙ୍କ ଜୀବନ କାଳରେ ଏପରି ହେବା କେବେ ଦେଖି ନ ଥିଲେ । ବୋଧହୁଏ ଉପର ମୁଣ୍ଡରେ ଚୀନ ତରଫରୁ କୌଣସି ବଡ଼ ଧରଣର ନିର୍ମାଣ କାମ ଚାଲିଛି, ଯେଉଁଥିରେ ସିମେଣ୍ଟ ବ୍ୟବହାର ହେଉଛି କିମ୍ବା ଚୀନ ନଦୀ ଭିତରେ କୌଣସି ପ୍ରକାରର ବୋରିଂ କାମ କରୁଛି । ” କହିଛନ୍ତି ତତକ୍‌।
ଏବେ ଏହି ନଦୀ ପାଣିର ନମୁନା କେନ୍ଦ୍ରୀୟ ଜଳ ଆୟୋଗର ପରୀକ୍ଷା ପାଇଁ ପଠାଯାଇଛି ।

ଭାରତରେ ଦିହାଙ୍ଗ ନାମରେ ମଧ୍ୟ ଏହି ନଦୀ ପରିଚିତ ଯାହାକି ବ୍ରହ୍ମପୁତ୍ରର ଏକ ପ୍ରମୁଖ ଉପନଦୀ। ଏହା ଅରୁଣାଚଳ ପ୍ରଦେଶରେ ୨୩୦ କିମି ବୋହିବା ପରେ ଲୋହିତ୍‌ ନଦୀ ସହ ମିଶୁଛି ଓ ଏହା ପୂର୍ବ ସିଆଙ୍ଗରେ ପ୍ରବାହିତ ଦିବାଙ୍ଗ ନଦୀ ସହ ମିଶି ବ୍ରହ୍ମପୁତ୍ର ନଦୀରେ ପରିଣତ ହେଉଛି ।

ସମ୍ବନ୍ଧିତ ଖବର