ଜେଲ୍‌ରେ ଶିବକୁମାରଙ୍କ ପଡ଼ୋଶୀ ଚିଦମ୍ବରମ୍‌

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଆଜି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇ ତିହାର ଜେଲ୍‌ ପଠାଯାଇଛି। ଗତ ମଙ୍ଗଳବାର ଦିନ ଶିବକୁମାରଙ୍କୁ ଦିଲ୍ଲୀ କୋର୍ଟ ଅକ୍ଟୋବର ୧ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଥିଲେ। ତେବେ ପ୍ରଥମେ ହସ୍ପିଟାଲ୍‌ରେ ଶିବକୁମାରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ପରେ ତାଙ୍କୁ ଜେଲ୍‌ ନେବାପାଇଁ କୋର୍ଟ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ନିର୍ଦ୍ଦେଶ ଦେଇଥିଲେ। କର୍ଣ୍ଣାଟକ କଂଗ୍ରେସର ସଙ୍କଟମୋଚକ ଶିବକୁମାର ତିହାର ଜେଲ୍‌ରେ ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦମ୍ବରମଙ୍କୁ ତାଙ୍କ ପଡ଼ୋଶୀ ଭାବେ ପାଇବେ। ଜେଲ୍‌ ନମ୍ବର ୭ରେ ଗତ ୫ ତାରିଖରୁ ଚିଦମ୍ବରମ ଥିବାବେଳେ ଶିବକୁମାର ମଧ୍ୟ ସେହି ସମାନ ଜେଲ୍‌ ନମ୍ବର ୭ରେ ରହିବେ। ଚିଦମ୍ବରମଙ୍କୁ ଜେଲ୍‌ ନମ୍ବର ୭ର ୧୫ ନମ୍ବର ପ୍ରକୋଷ୍ଠରେ ରଖାଯାଇଛି। ଜେଲ୍‌ରେ ଚିଦମ୍ବରମଙ୍କୁ ସାକ୍ଷାତ କରିପାରିବେ କି ନାହିଁ ତାହା ସ୍ପ‌ଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ମନି ଲଣ୍ଡ୍ରିଂ ମାମଲାରେ ଗତ ୩ ତାରିଖରେ ଇଡି ଶିବକୁମାରଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର