ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ଦାବି, ଫଡନାବିସ୍‌ଙ୍କୁ ଶିବସେନାର କଟାକ୍ଷ

ୱର୍ଲିରେ ଆଦିତ୍ୟ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପୋଷ୍ଟର୍‌

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣିଥରେ ବିଜେପି- ଶିବସେନା ମେଣ୍ଟ ସରକାର ଗଠନ ହେବ। ଏଥର ଶିବସେନା ମୁଖ୍ୟମନ୍ତ୍ରୀ ପଦ ହାସଲ କରିବା ପାଇଁ ଆଗୁଆ ଘୋଷଣା କରିଛି। ଯୁବ ଶିବ ସେନା ନେତା ଆଦିତ୍ୟ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳର ବହୁ ନେତା ଏବଂ କର୍ମୀ ଦାବି କରିଛନ୍ତି। ଆଦିତ୍ୟ ଠାକ୍‌ରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ‌ହେବା ସଂକ୍ରାନ୍ତରେ ପୋଷ୍ଟର ଏବେ ୱର୍ଲି ନିର୍ବାଚନ ମଣ୍ଡଳୀରେ ଲାଗିଛି। ଏହି ପୋଷ୍ଟରରେ ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେ ଏବଂ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ଫଟୋ ମଧ୍ୟ ରହିଛି। ‌ତେବେ ଏହି ଦାବି ସଂକ୍ରାନ୍ତରେ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନାହିଁ। ୫୦-୫୦ ଫର୍ମୁଲା ଯଦି ଲାଗୁ ହୁଏ ତେବେ ଆଦିତ୍ୟ ଠାକ୍‌ରେ ରାଜ୍ୟରେ ସବୁଠୁ କମ୍‌ ବୟସର ମୁଖ୍ୟମନ୍ତ୍ରୀ ହେବେ।

ଶରଦ ପାୱାର ଅଧିକ ଶକ୍ତିଶାଳୀ
ଚର୍ଚ୍ଚାରେ ସଂଜୟ ରାଉତଙ୍କ କାର୍ଟୁନ୍‌ ଟ୍ବିଟ୍‌

ମୁମ୍ବାଇ: ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଏବଂ ଶିବସେନାର ଆସନ ସଂଖ୍ୟା‌ କମିଛି। ବିଜେପି-ଶିବସେନା ମେଣ୍ଟକୁ ଆଶାନୁରୂପ ଫଳ ମିଳିନାହିଁ। ବିଜେପିର ଆସନ ସଂଖ୍ୟା ୧୨୨ରୁ ୧୦୫କୁ କମି ଯାଇଥିବା ବେଳେ ଶିବସେନାର ଆସନ ସଂଖ୍ୟା ୬୩ରୁ ୫୬କୁ ଖସିଆସିଛି। ଅନ୍ୟପକ୍ଷେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ରଣନୀତି ସଫଳ ହୋଇଥିବା ଦେଖିବାକୁ ମିଳିଛି। ଏନ୍‌ସିପି ୫୪ ଆସନରେ ବିଜୟୀ ହୋଇଛି। ଶିବସେନା ଆଜି ଏହି ପ୍ରସଙ୍ଗରେ ଏହାର ମେଣ୍ଟ ସାଥୀ ବିଜେପିକୁ ଉପହାସ କରିଛି। ଶିବସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ମହାଜନାଦେଶ ଯାତ୍ରା ଫସର ଫାଟିଥିବା କୁହାଯାଇଛି। ମୁଖ୍ୟମନ୍ତ୍ରୀ ଫଡନାବିସ୍ ଘୋଷଣା କରିଥିଲେ ଯେ ଉଦୟନରାଜେ ବିଜେପିରେ ଥି‌ବାରୁ ଛତ୍ରପତି ଶିବାଜୀଙ୍କ ଆର୍ଶୀବାଦ ବିଜେପି ସହ ରହିଛି। କିନ୍ତୁ ସତରାରେ ଉଦୟନରା‌ଜେ ହାରିଗଲେ। ମହାରାଷ୍ଟ୍ର କ୍ଷମତାର ଅହଙ୍କାରକୁ ଆଦୌ ଗ୍ରହଣ କଲାନାହିଁ ବୋଲି ସମ୍ପାଦକୀୟରେ କୁହାଯାଇଛି। ରାଜ୍ୟରେ ବିଜେପିର ଜନାଦେଶ ସାଧାରଣ ଏବଂ ଏହା ମହାଜନାଦେଶ ନୁହେଁ ବୋଲି ଶିବସେନା କହିଛି। ଶିବସେନା ନେତା ସଂଜୟ ରାଉତ ମଧ୍ୟ ବିଜେପିକୁ କଟାକ୍ଷ କରିଛନ୍ତି। ସଂଜୟ ରାଉତ ଏକ କାର୍ଟୁନ୍‌ ଟ୍ବିଟ୍‌ କରିଛନ୍ତି। ଏକ ବାଘ (ଶିବସେନାର ଦଳୀୟ ଚିହ୍ନ) ଘଣ୍ଟା (ଏନ୍‌ସିପିର ଦଳୀୟ ଚିହ୍ନ)କୁ ବେକରେ ପକାଇ ପଦ୍ମ ଫୁଲ ଧରିଥିବା କାର୍ଟୁନ ପୋଷ୍ଟ୍‌ କରି ଶିବସେନା ବିଜେପି ଅପେକ୍ଷା ଏନ୍‌ସିପିର ଅଧିକ ନିକଟତର ହେଉଛି ବୋଲି ସୂଚନା ଦେଇଛି।

ସମ୍ବନ୍ଧିତ ଖବର