କଂଗ୍ରେସକୁ ସିବଲଙ୍କ ଝଟ୍‌କା: ଇସ୍ତଫା ଘୋଷଣା, ସପା ସମର୍ଥନରେ ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲ

ଲୋକେ ଦଳକୁ ଆସିବା ଓ ଯିବା ମାମୁଲି କଥା: କଂଗ୍ରେସ

ନୂଆଦିଲ୍ଲୀ : କଂଗ୍ରେସକୁ ଆଜି ବଡ଼ ଝଟ୍‌କା ଲାଗିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ମେ’ ୧୬ ତାରିଖରୁ ସେ ଦଳ ଛାଡ଼ି ସାରିଛନ୍ତି ଏବଂ ଦଳ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟି ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ। ସିବଲ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ସପା (ସମାଜବାଦୀ ପାର୍ଟି) ସମର୍ଥନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସିବଲ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ସପା ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କ ସହ ଉପସ୍ଥିତ ଥିଲେ। ସିବଲ କହିଛନ୍ତି, ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ମୁଁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରୁଛି। ସପା ମୁଖ୍ୟ ମତେ ସମର୍ଥନ କରିଥିବାରୁ ମୁଁ ତାଙ୍କ ପାଖରେ କୃତଜ୍ଞ। ସପା ନେତା ଆଜମ ଖାନ୍‌ଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଉଛି। ଗତ କିଛି ବର୍ଷ ଧରି ଆଜମ ମତେ ଯେଉଁ ସମର୍ଥନ ପ୍ରଦାନ କରିଛନ୍ତି ସେଥିପାଇଁ ତାଙ୍କ ପାଖରେ ମୁଁ କୃତଜ୍ଞ ବୋଲି ସିବଲ କହିଛନ୍ତି।

କଂଗ୍ରେସ ସଂପର୍କରେ ସିବଲ କହିଛନ୍ତି- ‘କ‌ଂଗ୍ରେସ ସହ ମୋର ସଂପର୍କ ଅତି ଘନିଷ୍ଠ ଓ ଏହା ମୋର ପରିବାର ଥିଲା। ଦୀର୍ଘ ୩୦-୩୧ ବର୍ଷ ଧରି ମୁଁ କଂଗ୍ରେସ ସହ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପାଇଁ ମୁଁ କଂ‌ଗ୍ରେସରେ ଯୋଗ ଦେଇଥିଲି। ମନରେ ପ୍ରଶ୍ନ ଉଠୁଥିବ ଯେ, ୩୧ ବର୍ଷ କଂଗ୍ରେସରେ ରହିବାପରେ ମୁଁ କିଭଳି ଦଳ ଛାଡ଼ିଦେଲି। କିନ୍ତୁ କିଛି କ୍ଷେତ୍ରରେ ଏଭଳି ନିଷ୍ପତ୍ତି ନେବାକୁ ପଡ଼େ। ଏହା ମୋ ପାଇଁ ଅତି କଠିନ ନିଷ୍ପତ୍ତି ଥିଲା। କଂଗ୍ରେସ ଏବଂ ଏହାର ବିଚାରଧାରାଠାରୁ ମୁଁ ଦୂରେଇ ଯାଇନାହିଁ। ଦଳର ଭାବାବେଗ ସହ ମୁଁ ରହିଛି।’ କପିଲ ସିବଲଙ୍କ ଇସ୍ତଫା ପ୍ରସଙ୍ଗରେ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ କହିଛନ୍ତି, ଲୋକମାନେ ଆମ ଦଳକୁ ଆସୁଛନ୍ତି ଏବଂ ଯାଉଛନ୍ତି। ଏଥିପାଇଁ କାହାକୁ ଦାୟୀ କରିବାର ନାହିଁ। ଏକ ବଡ଼ ଦଳରେ ଏହା ହୁଏ ‌ବୋଲି ବେଣୁଗୋପାଳ କହିଛନ୍ତି। ସିବଲଙ୍କ ପରେ ଜି-୨୩ ଗୋଷ୍ଠୀର ଆଉ କିଛି ନେତା ମଧ୍ୟ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି।

୫ ମାସରେ ୫ କଂଗ୍ରେସ ନେତାଙ୍କ ଇସ୍ତଫା
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ଇସ୍ତଫା ସହ ଚଳିତ ବର୍ଷ କଂଗ୍ରେସ ଛାଡ଼ିଥିବା ‌ମୋଟ୍‌ ବରିଷ୍ଠ ନେତାଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ନୂଆ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଜଣେ ପରେ ଜଣେ ହେଭିୱେଟ୍‌ ଦଳ ଛାଡ଼ୁଥିବାରୁ ଏହା କଂଗ୍ରେସ ପାଇଁ ଅତ୍ୟନ୍ତ ଚିନ୍ତାଜନକ ହେଲାଣି।
କପିଲ ସିବଲ: କଂଗ୍ରେସ ଦଳରେ ସଂସ୍କାର ଆଣିବା ପାଇଁ ଦାବି କରୁଥିବା‘ ଜି-୨୩’ ବି‌ଦ୍ରୋହୀ ଗୋଷ୍ଠୀର ଜଣେ ପ୍ରମୁଖ ସଦସ୍ୟ ହେଉଛନ୍ତି କପିଲ୍‌ ସିବଲ। ଜଣେ ଓକିଲ-ରାଜନେତା କପିଲ ସିବଲ ନିକଟରେ ଉଦୟପୁରରେ ହୋଇଥିବା ଚିନ୍ତନ ଶିବିର ପ୍ରସଙ୍ଗରେ କଂଗ୍ରେସ ନେତୃତ୍ବକୁ ସମାଲୋଚନା କରିଥିଲେ। ଆଜି ସେ କଂଗ୍ରେସକୁ କଡ଼ା ଝଟ୍‌କା‌ ଦେଇ ଅଚାନକ ଇସ୍ତଫା ଘୋଷଣା କରିଛନ୍ତି।

ସୁନୀଲ ଜାଖର: ପୂର୍ବତନ ପଂଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କୁ ସମାଲୋଚନା କରିଥିବାରୁ କଂଗ୍ରେସ ନେତୃବୃନ୍ଦ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏଥିପାଇଁ ସୁନୀଲ ଜାଖର ଚଳିତ ମାସରେ ଦଳ ଛାଡ଼ି ଦେଇଛନ୍ତି ଏବଂ ବିଜେପିରେ ଯୋଗ ଦେଇଛନ୍ତି।

ହାର୍ଦ୍ଦିକ ପଟେଲ୍‌: ଗୁଜରାଟ ନେତା ହାର୍ଦ୍ଦିକ ପଟେଲ ମଧ୍ୟ ଚଳିତ ମାସରେ କଂଗ୍ରେସ ଛାଡ଼ି ଦେଇଛନ୍ତି। ସେ କଂଗ୍ରେସ ନେତୃତ୍ବକୁ ଏବେ କଡ଼ା ସମାଲୋଚନା କରୁଛନ୍ତି।
ଅଶ୍ବିନୀ କୁମାର: ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର ଚଳିତ ବର୍ଷ ଫେବ୍ରୁଆରିରେ ଦଳ ଛାଡ଼ି ଦେଇଛନ୍ତି। ଅଶ୍ବିନୀ କୁମାର କଂଗ୍ରେସ ସହ ଦୀର୍ଘ ୪୬ ବର୍ଷର ସମ୍ପର୍କ ତୁଟାଇ ଦେଇଥିଲେ। ସୋନିଆଙ୍କୁ ଦେଇଥିବା ଇସ୍ତଫା ପତ୍ରରେ କୁମାର କହିଥିଲେ, ଦଳ ବାହାରେ ରହି ମଧ୍ୟ ସେ ଦେଶକୁ ଆହୁରି ଭଲ ସେବା ପ୍ରଦାନ କରିପାରିବେ।
ଆର୍‌ପିଏନ୍‌ ସିଂହ : ପୁର୍ବତନ କେନ୍ଦ୍ରମନ୍ତ୍ରୀ ଆର୍‌ପିଏନ୍‌ ସିଂହ ଚଳିତ ବର୍ଷ ଜାନୁଆରିରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେ ଦଳ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର