ନୂଆଦିଲ୍ଲୀ/କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିଛି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ଶ୍ରୀ ମେଘୱାଲ କେରଳ ହାଇକୋର୍ଟ ପାଇଁ ବିଚାରପତି ସିଏସ୍‌ ସୁଧାଙ୍କୁ ଅତିରିକ୍ତ ବିଚାରପତି ଓ ଗୁଜରାଟ ହାଇକୋର୍ଟରେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ବୁଡ଼ି ହାବଙ୍ଗଙ୍କୁ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ସୂଚନା ଦେଇଛନ୍ତି।

Advertisment

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ଏସ.କେ.କୌଲ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନାମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦୁଇ ବରିଷ୍ଠତମ ବିଚାରପତିଙ୍କ ସହିତ ପରାମର୍ଶ କରି ୨୦୨୩, ଜାନୁଆରି ୧୭ରେ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନାମ ସୁପାରିସ କରିଥିଲେ। ଏହି ସୁପାରିସକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସମ୍ମତି ପ୍ରଦାନ କରିଥିଲେ। ଏହାପରେ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗ୍ରହଣ କରାଯାଇଥିଲା।

ସୂଚନାଯୋଗ୍ୟ, ୧୯୬୮ ମେ ୩ ତାରିଖରେ ଜୟପୁରଠାରେ ଶିବଶଙ୍କର ମିଶ୍ର ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ ଶିବଶଙ୍କର କୋରାପୁଟର ଜୟପୁର ଆଇନ୍‌ ମହାବିଦ୍ୟାଳୟରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ। ଶ୍ରୀ ମିଶ୍ର ୧୯୯୧ ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କର ଏହି ପେସାରେ ୩୦ ବର୍ଷର ଅନୁଭବ ରହିଛି। ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କର ବିଶେଷ ଦକ୍ଷତା ରହିଛି। ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍ ରେକର୍ଡ ଅଛନ୍ତି। ସେ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।

ଆନନ୍ଦଚନ୍ଦ୍ର ବେହେରା ୧୯୬୪ ମେ ୨୩ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଶ୍ରୀ ବେହେରା ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବେ କାର୍ଯ୍ୟରତ। ଓଡ଼ିଶା ହାଇକୋର୍ଟ କଲେଜିୟମ ଅନ୍ୟ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ନାଁ ଅନୁମୋଦନ ନ କରି ବିଚାରପତି ଭାବେ ନିଯୁକ୍ତି ପାଇଁ ଶ୍ରୀ ବେହେରାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଓଡ଼ିଶା ହାଇକୋର୍ଟ କଲେଜିୟମରେ ଗ୍ରହଣ କରାଯାଇଥିବା ଏ ସଂପର୍କିତ ପ୍ରସ୍ତାବରେ ଏ ନେଇ କେତେକ କାରଣ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ କଲେଜିୟମ ମତ ସହିତ ସୁପ୍ରିମକୋର୍ଟ କଲେଜିୟମ ସହମତ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୩୩ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ୨୦ଜଣ ବିଚାରପତି ‌ରହିଛନ୍ତି। ନବନିଯୁକ୍ତ ୨ ବିଚାରପତି ଯୋଗଦେଲା ପରେ ଓଡ଼ିଶା ହାଇକୋର୍ଟରେ ଏହି ସଂଖ୍ୟା ୨୨ରେ ପହଞ୍ଚିବ।