ପୃଥକ ଭାବେ ରାଜ୍ୟପାଳଙ୍କୁ ଭେଟିବେ ଶିବସେନା ଓ ବିଜେପି ନେତା

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଛିଡୁନି ଅଙ୍କ । ଉଭୟ ନିଜ ନିଜ ଆଭିମୁଖ୍ୟ କଡା କରିବାରେ ଲାଗିଛନ୍ତି । ଆଜି ପୃଥକ ପୃଥକ ଭାବେ ରାଜ୍ୟପାଳଙ୍କୁ ଭେଟିବେ ବିଜେପି ଓ ଶିବସେନା ନେତା । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶିବସେନା ନେତା ଦିବାକର ରାଓଟେ । ଆଲୋଚନା ପାଇଁ ପ୍ରସଙ୍ଗ ନିର୍ଦ୍ଧାରିତ ହୋଇନଥିଲେ ବି ସରକାର ଗଠନ ନେଇ ରାଜ୍ୟପାଳ ଉଭୟ ଦଳର ନେତାଙ୍କ ସହ ଆଲୋଚନା କରିପାରନ୍ତି ।

Mumbai Mirror

ବୈଠକରେ ଶିବସେନା ନିଜର ଅଭିମୁଖ୍ୟ ସ୍ପଷ୍ଟ କରିପାରେ । ମୁଖ୍ୟମନ୍ତ୍ରୀ ନୂଆ ସରକାର ଗଠନ ସମ୍ପର୍କରେ ଆଲୋଚନା କରିପାରନ୍ତି । ଶନିବାର ଦିନ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ନେଇ ୫୦-୫୦ ଫର୍ମୁଲାରେ ଅଟଳ ରହିଛନ୍ତି । ବିଜେପି ଓ ଶିବସେନା ଅଢେଇ ବର୍ଷ ଲେଖାଁଏ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ ବୋଲି ସେ ଦାବି କରୁଛନ୍ତି ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ ବିଧାନସଭାରେ ବିଜେପି ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି । ସରକାର ଗଠନ ପାଇଁ ସହ ଯୋଗୀ ଶିବସେନାର ସମର୍ଥନ ଜରୁରୀ ଥିଲେ ବି ଦଳ ମୁଖ୍ୟମନ୍ତ୍ରୀ ପଦ ଦାବି କରୁଥିବାରୁ ସରକାର ଗଠନରେ ବିଳମ୍ବ ଦେଖାଦେଇଛି । ତେବେ ବିଜେପି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର