ନୀତୀଶଙ୍କ ଆତ୍ମା ଆମ ସହ ଅଛି: ଶିବସେନା

ମୁମ୍ବାଇ: ବିହାର ମୁଖ୍ୟମନ୍ତ୍ରୀ ଏନଡିଏ ସରକାରରେ ଥିଲେ ବି ତାଙ୍କ ଆତ୍ମା ଆମ ସହ ଅଛି | ଶିବସେନା ନେତା ସଞ୍ଜୟ ରାଓତ ଏଭଳି ମନ୍ତବ୍ୟ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ବିହାର ମୁଖ୍ୟମନ୍ତ୍ରୀ ତଥା ଏନଡିଏ ସହଯୋଗୀ ନୀତୀଶ କୁମାର ପେଗାସସ୍‌ ଦୁର୍ନୀତି ମାମଲାରେ ତଦନ୍ତ ଦାବି କରିଥିଲେ । ଦେଶରେ ରାଜନେତା, ସାମ୍ବାଦିକ ଏବଂ ବିଚାରପତିମାନେ ଏହି ସ୍ପାଏୱେର ଟାର୍ଗେଟ୍‌‌ରେ ଅଛନ୍ତି ବୋଲି ଅଭିଯୋଗ ହେବାପରେ ଉକ୍ତ ମାମଲାର ତଦନ୍ତ ପାଇଁ ବିରୋଧୀ ନେତାମାନେ ଦାବି କରିଆସୁଛନ୍ତି।

ତେବେ ବିରୋଧୀ ନେତାମାନଙ୍କ ସହ ସ୍ବର ମିଶାଇଥିଲେ ନୀତୀଶ । ସେ କହିଛନ୍ତି, ଲୋକମାନଙ୍କୁ ହଇରାଣ କରିବାପାଇଁ ଏଭଳି କାମ କରିବା ଅନୁଚିତ୍‌। ସମ୍ପୂର୍ଣ୍ଣ ଘଟଣା କ’ଣ ତାହା ସର୍ବସମ୍ମୁଖକୁ ଆସିବା ଉଚିତ୍‌। ଅନେକ ଦିନ ଧରି ଆମେମାନେ ଟେଲିଫୋନ୍‌ ଟ୍ୟାପିଂ ବିଷୟରେ ଶୁଣୁଛେ। ତେଣୁ ଏହି ବିଷୟବସ୍ତୁ ଉପରେ ସଂସଦରେ ଆଲୋଚନା ହେବା ଉଚିତ୍‌ ବୋଲି ସେ କହିଛନ୍ତି। ତେବେ ଏନ୍‌ଡିଏର ପ୍ରଥମ ସହଯୋଗୀ ଭାବେ ନୀତୀଶଙ୍କର ଏଭଳି ମନ୍ତବ୍ୟ ଏକ ଆଲୋଚ୍ୟର ବିଷୟ ହୋଇଛି।

ଆଉ ନୀତୀଶ କୁମାରଙ୍କ ବିବୃତ୍ତି ଉପରେ ଶିବସେନା ନେତା ସଞ୍ଜୟ ରାଓତ ମଙ୍ଗଳବାର କହିଛନ୍ତି, ‘ମୁଁ ନୀତୀଶ କୁମାରଙ୍କ ନିକଟରେ କୃତଜ୍ଞ। ସେ ସର୍ବଦା ଜଣେ ଆଦର୍ଶ ନେତା ହୋଇଥିବାବେଳେ ଆଜି ସେ ସରକାରଙ୍କ ସହ ଅଛନ୍ତି, କିନ୍ତୁ ତାଙ୍କ ଆତ୍ମା ​​ଆମ ସହିତ ଅଛି | ଯଦି ନୀତୀଶ କୁମାର କହୁଛନ୍ତି ଯେ ‘ପେଗାସସ୍’ ପ୍ରସଙ୍ଗର ଅନୁସନ୍ଧାନ କରାଯାଉ, ତେବେ ବିରୋଧୀ ଯାହା କହୁଛନ୍ତି ତାହା ସେ କହିଛନ୍ତି। ଅନ୍ତତଃ ପକ୍ଷେ ବର୍ତ୍ତମାନ ମୋଦୀ ଜୀ ଶୁଣିବା ଉଚିତ୍।

ସମ୍ବନ୍ଧିତ ଖବର