ବିହାରରେ ପୂର୍ବତନ ଡିଜିପି ଗୁପ୍ତେଶ୍ୱରଙ୍କ ବିରୋଧରେ ପ୍ରାର୍ଥୀ ଦେବ ଶିବସେନା

ପାଟନା: ମହାରାଷ୍ଟ୍ରର ଶାସକ ଦଳ ଶିବସେନା ଆସନ୍ତା ବିହାର ବିଧାନସଭା ନିର୍ବାଚନ ୨୦୨୦ ରେ ବିହାରର ପୂର୍ବତନ ପୁଲିସ ମୁଖ୍ୟ ଗୁପ୍ତେଶ୍ୱର ପାଣ୍ଡେ ବିପକ୍ଷରେ ପ୍ରାର୍ଥୀ ଦେବାକୁ ଘୋଷଣା କରାଯାଇଛି | ସୂଚନା ଥାଉ କି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ପାଣ୍ଡେ ମୁମ୍ବାଇ ପୁଲିସର ଯାଞ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ପରେ ସେବାରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଶାସକ ଜନତା ଦଳ (ଜେଡିୟୁ) ରେ ଯୋଗ ଦେଇଥିଲେ। ଶିବସେନା ନେତା ଅନିଲ ଦେଶାଇ କହିଛନ୍ତି ଯେ ରାଜନୈତିକ ଫାଇଦା ପାଇଁ ଗୁପ୍ତେଶ୍ୱର, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ବ୍ୟବହାର କରିଥିଲେ। “କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶ ତାଙ୍କ ନାଟକ ଦେଖିଛି |

ବର୍ତ୍ତମାନ ସେ ଜେଡି (ୟୁ) ରେ ଯୋଗ ଦେଇଛନ୍ତି ଏବଂ ବକ୍ସରରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମର ଜଣେ ଶିବ ସୈନିକ(ଶିବସେନା କର୍ମୀ) ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି | ଦେଶାଇ ଆହୁରି ମଧ୍ୟ କହିଛନ୍ତି ଯେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଶିବସେନା ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଶିବସେନା, ବିହାରର ୫୦ ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି |

ସୂଚନା ଥାଉ କି ଗୁପ୍ତେଶ୍ୱର ପାଣ୍ଡେ ଜେଡିୟୁ ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି। ଯେଉଁଥିପାଇଁ ସେ ଡିଜିପି ପଦରୁ ସ୍ବେଛାକୃତ ଅବସର ନେଇଥିଲେ | ୨୪୩ ବିଧାନସଭା ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ | ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ନଭେମ୍ବର ୭ରେ ମତଗ୍ରହଣ ହେବାକୁ ଥିବାବେଳେ ନଭେମ୍ବର ୧୦ ରେ ଫଳାଫଳ ଘୋଷଣା କରାଯିବ |

ସମ୍ବନ୍ଧିତ ଖବର