୧୧୧ ବର୍ଷ ବୟସରେ ସିଦ୍ଧଗଙ୍ଗା ମଠର ମୁଖ୍ୟ ଶ୍ରୀ ଶିବକୁମାର ସ୍ୱାମୀଙ୍କ ଦେହାନ୍ତ, କର୍ଣ୍ଣାଟକରେ ତିନି ଦିନିଆ ଶୋକ

ତୁମକୁର: କର୍ଣ୍ଣାଟକସ୍ଥିତ ସିଦ୍ଧଗଙ୍ଗା ମଠର ମୁଖ୍ୟ ତଥା ଲିଙ୍ଗାୟତ ସଂପ୍ରଦାୟର ଧର୍ମଗୁରୁ ସାଧୁ ଶ୍ରୀ ଶିବକୁମାର ସ୍ୱାମୀଙ୍କର ୧୧୧ ବର୍ଷ ବୟସରେ ସୋମବାର ମହାପ୍ରୟାଣ ଘଟିଛି। ଏକ ଅସ୍ତ୍ରୋପଚାର ପରେ  ସେ ବ୍ରୁକକ ସଂକ୍ରମଣର ଶିକାର ହୋଇ ଡିସେମ୍ବର ୮ ଠାରୁ ଅସୁସ୍ଥ ହୋଇପଡ଼ିଥିଲେ। ସାଧୁ  ଶିବକୁମାରଙ୍କ ପରଲୋକ ସଂପର୍କରେ ସୂଚନା ଦେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଗଣମାଧ୍ୟମରେ କହିଛନ୍ତି, ‘ସିଦ୍ଧଗଙ୍ଗା ମଠର ସାଧୁ ଶିବକୁମାର ସ୍ୱାମୀଜୀଙ୍କର ଆଜି ସକାଳ ୧୧.୪୪ରେ ପରଲୋକ ହୋଇଛି। ଜାନୁଆରିି ୨୨ ତାରିଖ ୪.୩୦ ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ସାଧୁଙ୍କ ମହାପ୍ରୟାଣ ଖବର ପ୍ରକାଶ ପାଇବା ପରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ତାଙ୍କ ମଠକୁ ଆସିବାରେ ଲାଗିଛନ୍ତି। ଶ୍ରୀ ଶିବକୁମାରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ କର୍ଣ୍ଣାଟକ ସରାକାର ରାଜ୍ୟର ତିନି ଦିନିଆ ଶୋକ ପାଳନ ଘୋଷଣା କରିଛନ୍ତି।

ଲିଙ୍ଗାୟତ ସଂପ୍ରଦାୟର ଚଳନ୍ତି ଭଗବାନ ବୋଲି ମନାଯାଉଥିବା ଏହି ସାଧୁଙ୍କର ଯକ୍ରୁୂତ ସଂକ୍ରମଣ ହେବା ପରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ମାତ୍ର ପରେ ତାଙ୍କର ବ୍ରୁକକ ସଂକ୍ରମଣ ହେବାରୁ ଜାନୁଆରି ୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ପୁଣି ତାଙ୍କୁ ମଠକୁ ଫେରାଇ ଅଣାଯାଇ ଥିଲା। ପରେ ତାଙ୍କ ଅବସ୍ଥା ବିଗିଡ଼ି ଯିବାରୁ ପୁଣି ଥରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ମୃତ୍ୟୁ ବେଳକୁ ସେ ମଠରେ ଥିଲେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିୁଛି ବୋଲି ରବିବାର ସମାନ୍ୟ ସଂକେତ ମିଳିଥିଲା। ମାତ୍ର ତାଙ୍କ ଅବସ୍ଥା ପୁଣି ଥରେ ସୋମବାର ସକାଳୁ ବିଗିଡ଼ି ଯାଇଥିଲା।

ତାଙ୍କର ଦେହାନ୍ତ ଘଟିବା ପୂର୍ବରୁ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସମେତ ରାଜ୍ୟର ଅନ୍ୟ ବରିଷ୍ଠ ରାଜନେତା ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର, ବିଜେପି ନେତା ବିଏସ୍‌ ୟେଦୁରପ୍ପା, ଏମ୍‌ବି ପାଟିଲ୍‌, କେଜେ ଜର୍ଜ ଏବଂ ସଦାନନ୍ଦ ଗୌଡ଼ା ଆଦି ତାଙ୍କ ସ୍ୱାସ୍ଥାବସ୍ଥା ବୁଝିବା ପାଇଁ  ମଠକୁ ଯାଇଥିଲେ।

ଲିଙ୍ଗାୟତ ଧାର୍ମିକ ସଂପ୍ରଦାୟର ମୁଖ୍ୟ ଶିବକୁମାର ସ୍ୱାମୀଙ୍କୁ ୨୦୧୫ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୂର୍ବରୁ କୁମାରସ୍ୱାମୀ ଓ ୟେଦୁରପ୍ପା ଘୋଷଣା କରିଥିଲେ ଯେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ସେ ଲକ୍ଷ୍ୟ ଲକ୍ଷ୍ୟ ଗରିବ ପିଲାଙ୍କ ସକାଶେ ଖାଦ୍ୟ, ଗୃହ, ଶିକ୍ଷା ବନ୍ଦୋବସ୍ତ କରି ଯଶ ଅର୍ଜନ କରିଛନ୍ତି।

ସାଧୁ ଶିବକୁମାର ସ୍ୱାମୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟର୍‌ରେ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର