ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ନେଇ ଗତ କିଛି ଦିନ ଧରି କଂଗ୍ରେସରେ ଯେଉଁ ଅଚଳାବସ୍ଥା ଲାଗି ରହିଥିଲା ତାହା ଆଜି ହଟିଛି। ବରିଷ୍ଠ ନେତା‌ ସିଦ୍ଦରମେୟା କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ରାଜ୍ୟର ଏକମାତ୍ର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଆଜି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଏଆଇସିସି ସାଧାରଣ ସଚିବ କେସି ବେଣୁଗୋପାଳ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତ ଘୋଷଣା କରିଛନ୍ତି। ବେଣୁଗୋପାଳ କହିଛନ୍ତି, ଆମେ ବୁଝାମଣାରେ ବିଶ୍ବାସ କରୁ, ଏକଛତ୍ରବାଦରେ ନୁହେଁ। ସିଦ୍ଦରମେୟା ଜଣେ ଦକ୍ଷ ପ୍ରଶାସକ। ନିର୍ବାଚନ ପାଇଁ ତାଙ୍କର ଅନେକ ଅବଦାନ ରହିଛି। ଅନ୍ୟପକ୍ଷେ ଡିକେ ଶିବକୁମାରଙ୍କର ସାଂଗଠନିକ କ୍ଷେତ୍ରରେ ଦୃଢ଼ ଦଖଲ ରହିଛି। ଉଭୟ ନେତା କର୍ଣ୍ଣାଟକରେ କଂଗ୍ରେସ ପାଇଁ ବଡ଼ ସମ୍ପତ୍ତି। ଉଭୟ ମୁଖ୍ୟମନ୍ତ୍ରୀ ହେବାପାଇଁ ଯୋଗ୍ୟ। କଂଗ୍ରେସ ସଭାପତି ଉଭୟ ନେତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବା ପରେ ‌କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା‌ ସୋନିଆ ଗାନ୍ଧିଙ୍କ ସହ କଥା ହୋଇଥିଲେ। ସିଦ୍ଦରମେୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳ ନିଷ୍ପତ୍ତି ନେଇଛି। ଶିବକୁମାର ଉପମୁଖ୍ୟମନ୍ତ୍ରୀ ରହିବା ସହ ୨୦୨୪ ଲୋକସଭା ନିର୍ବାଚନ ହେବା ପର୍ଯ୍ୟନ୍ତ କର୍ଣ୍ଣାଟକ କଂଗ୍ରେସ ସଭାପତି ରହିବେ ବୋଲି ସେ କହିଛନ୍ତି।

Advertisment

ଆଜି ସନ୍ଧ୍ୟାରେ ସିଦ୍ଦରମେୟା ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେବା ସହ ସରକାର ଗଠନ ପାଇଁ ରାଜ୍ୟପାଳଙ୍କଠାରେ ଦାବି ଉପସ୍ଥାପନ କରିଛନ୍ତି। ମେ’ ୨୦ ତାରିଖରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ହେବ ଏବଂ ଏଥିପାଇଁ ୧୧ଟି ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଉଭୟ ସିଦ୍ଦରମେୟା ଏବଂ ଶିବକୁମାର ଏକାଠି କାମ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଆଜି କହିଛନ୍ତି। ଶିବକୁମାର ଏକ ଟ୍ବିଟ୍‌ କରି କହିଛନ୍ତି, କର୍ଣ୍ଣାଟକର ସୁରକ୍ଷିତ ଭବିଷ୍ୟତ ଏବଂ ଆମ ଲୋକଙ୍କ କଲ୍ୟାଣ ଆମର ପ୍ରମୁଖ ପ୍ରାଥମିକତା। ସିଦ୍ଦରମେୟା କହିଛନ୍ତି, କନ୍ନଡ଼ିଗାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା‌ପାଇଁ ଆମ ହାତ ସବୁବେଳେ ଏକାଠି ହେବ। କଂଗ୍ରେସ ଦଳ ଏକ ପରିବାର ଭାବେ କାମ କରିବ ବୋଲି ସେ କହିଛନ୍ତି।

କଂଗ୍ରେସ ଦଳର ବରିଷ୍ଠ ନେତାମାନେ ଚାରିଦିନ ଧରି ତୁହାକୁ ତୁହା ଆଲୋଚନା କରିବାପରେ ଶେଷରେ ଶିବକୁମାରଙ୍କୁ ମନାଇବାରେ ସକ୍ଷମ ହୋଇଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହୋଇଛନ୍ତି। ତେବେ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶ କହିଛନ୍ତି, ଆମେ ଏହି ନିଷ୍ପତ୍ତିରେ ଖୁସି ନାହୁଁ। ଉଲ୍ଲେଖଯୋଗ୍ୟ, ସିଦ୍ଦରମେୟା ଓ ଶିବକୁମାର ଆଜି ସକାଳେ ଏକାଠି ଏଆଇସିସି ସାଧାରଣ ସଚିବ କେସି ବେଣୁଗୋପାଳ ଏବଂ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପରେ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଥିଲା।

publive-image

ସୋନିଆଙ୍କ କଥା ଶୁଣିଲେ ଶିବକୁମାର

ନୂଆଦିଲ୍ଲୀ : କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଶେଷରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହୋଇଛନ୍ତି। ଶିବକୁମାର ପ୍ରଥମେ ଦଳର ଏହି ନିଷ୍ପତ୍ତିରେ ରାଜି ନଥିଲେ। କିନ୍ତୁ ମିଳିଥିବା ସୂଚନାନୁଯାୟୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା‌ ସୋନିଆ‌ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ସୋନିଆ ଗତକାଲି ସନ୍ଧ୍ୟାରେ ଶିବକୁମାରଙ୍କ ସହ କଥା ହେବାପରେ ସବୁ ସମସ୍ୟାର ସମାଧାନ ହୋଇଥିଲା। ଶିବକୁମାର ଦଳର ସ୍ବାର୍ଥ ପାଇଁ ଏହି ତ୍ୟାଗ ପାଇଁ ରାଜି ହୋଇଛନ୍ତି। ଅନ୍ୟପକ୍ଷେ ଶିବକୁମାର କହିଛନ୍ତି, ଥରେ ଆମେ ହାଇକମାଣ୍ଡଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦେବାପରେ ଆମକୁ ହାଇକମାଣ୍ଡଙ୍କ ରାୟକୁ ଗ୍ରହଣ କରିବାକୁ ପଡ଼ିବ। ଆମମାନଙ୍କ ମଧ୍ୟରୁ ଅଧିକାଂଶ କୋର୍ଟରେ ତର୍କ ରଖୁଛେ। କିନ୍ତୁ ପରିଶେଷରେ ବିଚାରପତି ଯେଉଁ ରାୟ ଦେଉଛନ୍ତି ତାହା ଆମେ ଗ୍ରହଣ କରୁଛେ। ଶିବକୁମାର କହିଛନ୍ତି, ଆମେ କର୍ଣ୍ଣାଟକ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛୁ ଯେ ବ୍ୟକ୍ତିଗତ ସ୍ବାର୍ଥ ପଛରେ ଏବଂ ପ୍ରଥମେ ଦଳୀୟ ସ୍ବାର୍ଥ। ପରିଶେଷରେ ବିଭିନ୍ନ କାରଣ ପାଇଁ ଶିବକୁମାର ଦଳର ନିଷ୍ପତ୍ତିକୁ ଗ୍ରହଣ କରିଥିବା କହିଛନ୍ତି।