ବିଦ୍ରୋହ ପଛରେ ସିଦ୍ଧରାମେୟା!

ନିଜ ଗୋଷ୍ଠୀର ବିଧାୟକଙ୍କୁ ନେଇ ଗୋଟି ଖେଳୁଛନ୍ତି

ବେଙ୍ଗାଲୁରୁ: ଦକ୍ଷିଣ ଭାରତରେ ବିଜେପିର ପ୍ରବେଶ ଦ୍ବାର କୁହାଯାଉଥିବା କର୍ଣ୍ଣାଟକରେ ଏବେ ବଡ଼ ଧରଣର ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ନାଟକୀୟ ଘଟଣାକ୍ରମରେ ଗତକାଲି କଂଗ୍ରେସ ଏବଂ ଜେଡିଏସ୍‌ର ୧୨ ଜଣ ବିଧାୟକ ଇସ୍ତଫା ଦେବାପରେ ରାଜ୍ୟର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ପାଇଁ ବିପଦ ଘନେଇ ଆସିଛି। ତେବେ ଏହି ବିଧାୟକଙ୍କ ଇସ୍ତଫା ପଛରେ କଂଗ୍ରେସ ବିଧାୟକ ଦଳ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟାଙ୍କ ହାତ ଥିବା କୁହାଯାଉଛି। ସିଦ୍ଧରାମେୟାଙ୍କ ଯୋଜନାବଦ୍ଧ ରଣନୀତିରେ କେବଳ ତାଙ୍କ ଗୋଷ୍ଠୀର ୧୦ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି ଏବଂ ସେ ନ ଚାହିଲେ ଏହି ବିଧାୟକମାନେ ଇସ୍ତଫା ପ୍ରତ୍ୟାହାର କରିବାର ସମ୍ଭାବନା ଖୁବ୍‌ କମ୍‌ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି। ଏଚ୍‌ଡି କୁମାରସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଜିଦ୍‌ କରି ସିଦ୍ଧରାମେୟା ଏଭଳି କରିଛନ୍ତି ଏବଂ ଏଥିପାଇଁ ସେ ବିଜେପି ନେତା ବିଏସ୍‌ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ହେବାପାଇଁ ସୁଯୋଗ ଦେବାକୁ ରାସ୍ତା ସଫା କରିଦେଇଛନ୍ତି ବୋଲି କୁହାଯାଉଛି। ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ସିଦ୍ଧରାମେୟା ରାହୁଲ ଗାନ୍ଧୀଙ୍କୁ ଭେଟି ରାଜ୍ୟରେ ଜେଡିଏସ୍‌ ସହ ମେଣ୍ଟ ଭାଙ୍ଗିଦେବା ପାଇଁ କହିଥିଲେ। ଜେଡିଏସ୍‌ କଂଗ୍ରେସ ବିଧାୟକମାନଙ୍କୁ କାମ କରିବାକୁ ସୁଯୋଗ ଦେଉନାହିଁ ବୋଲି ସିଦ୍ଧରାମେୟା ଅଭିଯୋଗ କରିଥିଲେ। ତେବେ ତାଙ୍କ ଅଭିଯୋଗକୁ ରାହୁଲ ଅଣଦେଖା କରିବା ସହ ଏ ଦିଗରେ କୌଣସି ପଦକ୍ଷେପ ନେଇନଥିବାରୁ ସିଦ୍ଧରାମେୟା ଏଥିରେ କ୍ଷୁବ୍ଧ ହୋଇ ତାଙ୍କର ଅନୁଗତ ବିଧାୟକମାନଙ୍କୁ ଇସ୍ତଫା ଦେବାପାଇଁ କହିଥିଲେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି ।

ରାଜ୍ୟରେ ମେଣ୍ଟ ସରକାରକୁ ଭାଙ୍ଗିବା ପାଇଁ ସିଦ୍ଧରାମେୟଙ୍କ ଯୋଜନା ସଂପର୍କରେ କୁମାରସ୍ବାମୀ ଜାଣିବା ପରେ ନିଜ ବିଧାୟକମାନଙ୍କୁ ଏକଜୁଟ ରଖିବାକୁ ପ୍ରୟାସ କରିଥିଲେ। ତେବେ ଏହା ସତ୍ତ୍ବେ ଦଳର ୩ ବିଧାୟକ ଇସ୍ତଫା ଦେବାରୁ ଜେଡିଏସ୍‌ର ଅନ୍ତଃକନ୍ଦଳ ମଧ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ମେଣ୍ଟ ସରକାର କାଏମ ରଖିବା ପାଇଁ କୁମାରସ୍ବାମୀ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ରାହୁଲ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ କଂଗ୍ରେସ ଏହି ପ୍ରସ୍ତାବ ପ୍ରତି ଧ୍ୟାନ ଦେଇନଥିଲା। ସିଦ୍ଧରାମେୟା ପ୍ରଥମରୁ ଜେଡିଏସ୍‌ ସହ ମେଣ୍ଟ ବିରୋଧରେ ଥିଲେ ଏବଂ ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇବା ପାଇଁ ଜେଡିଏସ୍‌ ଭିତିରି ପ୍ରୟାସ କରୁଥିବା ଅଭିଯୋଗ ଆଣିଥିଲେ। କଂଗ୍ରେସ ଦଳରେ ମଧ୍ୟ ସିଦ୍ଧରାମେୟାଙ୍କ ପତିଆରା ହ୍ରାସ ପାଇଥିବାରୁ ସରକାରର ପତନ ପାଇଁ ସେ ଏବେ ତାଙ୍କର ଚାଲ୍‌ ଖେଳିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର