ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା। ସିଦ୍ଦରମେୟା ଦ୍ବିତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ସେ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସିଦ୍ଦରମେୟା ଏବଂ ଶିବକୁମାରଙ୍କ ସହିତ ଅନ୍ୟ ୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଜି ପରମେଶ୍ବର, କେଏଚ୍ ମୁନିୟାପ୍ପା, କେଜେ ଜର୍ଜ୍, ଏମ୍ବି ପାଟିଲ, ସତୀଶ ଜର୍କିହୋଲି, ପ୍ରିୟଙ୍କ ଖଡ଼ଗେ, ରାମଲିଙ୍ଗ ରେଡ୍ଡି ଏବଂ ବି ଜେଡ୍ ଜମିର ଅହମଦ ଖାନ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କଂଗ୍ରେସର ଶପଥ ଗ୍ରହଣ ଉତ୍ସବରେ ଆଜି ବିରୋଧୀ ଦଳ ନେତାମାନେ ଶକ୍ତି ପ୍ରଦର୍ଶନ କରିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଏନ୍ସିପି ସଭାପତି ଶରଦ ପାୱାର, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ, ଏନ୍ସି ସଭାପତି ଫାରୁକ ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫ୍ତି ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶପଥ ଗ୍ରହଣ ଉତ୍ସବ ସମୟରେ ଉପସ୍ଥିତ ଥିଲେ। ସେହିପରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସିପିଏମ୍ ସାଧାରଣ ସଚିବ ସୀତାରାମ ୟେଚୁରୀ ଏବଂ ସିପିଆଇ ସାଧାରଣ ସଚିବ ଡି ରାଜା ମଧ୍ୟ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି।
କଂଗ୍ରେସର ୫ ଗ୍ୟାରେଣ୍ଟି ଉପରେ କ୍ୟାବିନେଟ ମୋହର
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ନୂଆ ସରକାର ଗଠନ ହୋଇଛି। ସିଦ୍ଦରମେୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ଆଜି ଅନୁଷ୍ଠିତ ପ୍ରଥମ କ୍ୟବିନେଟ ବୈଠକରେ କଂଗ୍ରେସ ଦେଇଥିବା ୫ ଗ୍ୟାରେଣ୍ଟି ଉପରେ ମୋହର ଲାଗିଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦେଇଥିବା ୫ ପ୍ରତିଶ୍ରୁତିକୁ ଆଜି ସିଦ୍ଦରମେୟାଙ୍କ କ୍ୟାବିନେଟ ନୀତିଗତ ମଂଜୁରି ପ୍ରଦାନ କରିଛି। ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ ଏହି ୫ ପ୍ରତିଶ୍ରୁତି ପୂରଣ ପାଇଁ ରାଜକୋଷରୁ ବାର୍ଷିକ ୫୦ ହଜାର କୋଟି ଖର୍ଚ୍ଚ ହେବ।
ଉଲ୍ଲେଖଯୋଗ୍ୟ, ଆଜି ଶପଥ ଗ୍ରହଣ ଉତ୍ସବ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ ଯେ ଦଳ ଦେଇଥିବା ୫ ପ୍ରତିଶ୍ରୁତି ଆମେ ତତ୍କାଳ ପୂରଣ କରିବୁ। ରାହୁଲ କହିଛନ୍ତି, ଆମେ ଆପଣମାନଙ୍କୁ ଯେଉଁ ୫ ପ୍ରତିଶ୍ରୁତି ଦେଇଥିଲୁ, ତାହା ମିଥ୍ୟା ନଥିଲା। ଆମେ ଯାହା କହିଥିଲୁ ତାହା କାମରେ କରି ଦେଖାଇଛୁ। ଅନ୍ୟପକ୍ଷରେ ରାଜକୋଷ ଉପରେ ପଡ଼ିବାକୁ ଥିବା ବିଶାଳ ବୋଝ କିଭଳି ଭରଣା ହେବ, ତାହା ଉପରେ ମଧ୍ୟ ନୂଆ ସରକାର ଗୁରୁତ୍ବର ସହ ଚିନ୍ତା କରିବା ଆବଶ୍ୟକ ବୋଲି ଅନେକ ମତ ଦେଇଛନ୍ତି।