ବେଙ୍ଗାଲୁରୁ: ଦ୍ବିତୀୟ ଥର ପାଇଁ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଶିଷ୍ଟ କଂଗ୍ରେସ ନେତା ସିଦ୍ଦରମେୟା ଶପଥ ଗ୍ରହଣ କରିଥିବା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।
ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତୀରବ ଷ୍ଟାଡିୟମ୍ରେ ଆୟୋଜିତ ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଥାୱର୍ଚନ୍ଦ୍ ଗହ୍ଲୋତ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।
ଏହାଛଡ଼ା, ରାଜ୍ୟ କଂଗ୍ରେସ ସଭାପତି ଡି. କେ. ଶିବକୁମାର ମଧ୍ୟ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି, ନବନିର୍ବାଚିତ ସିଦ୍ଦରମେୟାଙ୍କ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଜି. ପରମେଶ୍ବର, କେ. ଏଚ୍. ମନିୟାପ୍ପା, କେ. ଜେ. ଜର୍ଜ, ଏମ୍. ବି. ପାଟିଲ୍, ସତୀଶ ଜାର୍କିହୋଲି, ପ୍ରିୟାଙ୍କ ଖଡ଼ଗେ (କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କ ପୁତ୍ର), ରାମଲିଙ୍ଗା ରେଡ୍ଡୀ ଏବଂ ବି. ଜେ. ଜମୀର୍ ଅହମଦ୍ ଖାଁ ଶପଥ ଗ୍ରହଣ କରିଛନ୍ତି।
ଶପଥ ଗ୍ରହଣ କରିବା ପୂର୍ବରୁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ସହିତ ସିଦ୍ଦରମେୟା ଓ ଡି.କେ. ଶିବକୁମାର ‘ଏକତା ପ୍ରଦର୍ଶନ’ କରିଥିଲେ।
ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତାମିଲ୍ନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍, ‘ପିଡିପି’ ମୁଖ୍ୟ ମେହ୍ବୁବା ମୁଫ୍ତି, ଅଭିନେତା ତଥା ‘ଏମ୍ଏନ୍ଏମ୍’ର ମୁଖ୍ୟ କମଲ୍ ହସନ୍, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁକୱିନ୍ଦର୍ ସିଂହ ସୁଖୁ ଆଦି ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।