ବିଧାନସଭାରେ ସିଦ୍ଦରମେୟାଙ୍କ ଧୋତି ଖୋଲିଗଲା: କହିଲେ କୋଭିଡ୍‌ ପରେ ଓଜନ ବଢ଼ିଯାଇଛି

ପ୍ରବଳ ହାସ୍ୟରୋଳ, କଟାକ୍ଷ

ବେଙ୍ଗାଲୁରୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ସିଦ୍ଦରମେୟା ଆଜି କର୍ଣ୍ଣାଟକ ବିଧାନସଭାରେ ଭାଷଣ ରଖିବା ସମୟରେ ଅଡ଼ୁଆରେ ପଡ଼ି ଯାଇଥିଲେ। ଅବଶ୍ୟ ଅଡ଼ୁଆରୁ ସେ ଅତି ସହଜରେ ମୁକୁଳି ଯାଇଥିଲେ। ଆଜି ବିଧାନସଭା‌ରେ ସିଦ୍ଦରମେୟା ଭାଷଣ ରଖୁଥିବା ସମୟରେ ତାଙ୍କ ଧୋତି ଖସି ଆସିଥିଲା। ଏ ସମ୍ପର୍କରେ କଂଗ୍ରେସ ‌ନେତା ଡିକେ ଶିବକୁମାର ତାଙ୍କୁ ତୁରନ୍ତ କାନରେ କହିଥିଲେ। କିନ୍ତୁ ଏହାପରେ ଯାହା ହେଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିଦ୍ଦରମେୟା କଥାଟିକୁ ନିଜ ଭିତରେ ରଖିବା ବଦଳରେ ସେ ସମଗ୍ର ଗୃହରେ ତାଙ୍କ ଧୋତି ଖୋଲିଯାଇଥିବା ବିଷୟରେ କହିଥିଲେ।

ମହୀଶୁର ଗଣଦୁଷ୍କର୍ମ ମାମଲା ପରେ ପୁଲିସ କିଭଳି କାର୍ଯ୍ୟ କରିଛି ସେ ସମ୍ପର୍କରେ ଭାଷଣ ରଖିବା ସମୟରେ ସିଦ୍ଦରମେୟାଙ୍କ ଧୋତି ଖସି ଆସିଥିଲା। ‌ଧୋତି ପୁଣି ସଜାଡ଼ି ନେବା ପରେ ସିଦ୍ଦରମେୟା କହିଥିଲେ, କରୋନାରୁ ସୁସ୍ଥ ହେବାପରେ ତାଙ୍କ ଓଜନ ୪-୫ କିଲୋ ବଢ଼ିଯାଇଛି। ଏଥିପାଇଁ ତାଙ୍କ ଧୋତି ଖସିଯାଉଛି। ଜଣେ କଂଗ୍ରେସ ବିଧାୟକ ରମେଶ କୁମାର କହିଛନ୍ତି, ଆମ ସଭାପତି ଡିକେ ଶିବକୁମାର ସିଦ୍ଦରମେୟାଙ୍କ କାନରେ କହି ତାଙ୍କୁ ବଞ୍ଚାଇବାକୁ‌ ଚେଷ୍ଟା କରିଥିଲେ। କିନ୍ତୁ ସିଦ୍ଦରମେୟା ନିଜେ ଏହି କଥା କହିଦେବାରୁ ବିଜେପିର ନେତାମାନେ ଆମକୁ ପ୍ରବଳ କଟାକ୍ଷ କରିଥିଲେ ଏବଂ ହାସ୍ୟରୋଳ ହୋଇଥିଲା।

ସମ୍ବନ୍ଧିତ ଖବର