ବିଦ୍ୟୁତ ବିଲକୁ ନେଇ ସମାଲୋଚନା କରନ୍ତି, କିନ୍ତୁ ନିଜେ ଦେଇନାହାନ୍ତି ୮ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ

ଚଣ୍ଡୀଗଡ଼: ନେତାଙ୍କ ବୟାନ ଓ ନେତାଙ୍କ କାର୍ଯ୍ୟକୁ ନେଇ ଅନେକ ସମୟରେ ସଂଶୟ ଉଠେ | ନିଜେ କହୁଥିବା କଥା ନେତା କରନ୍ତି ତ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ? ଆଜି ଆମେ ଆପଣଙ୍କୁ ଏମିତି ଜଣେ ନେତାଙ୍କ ବାବଦରେ କହିବୁ ଯିଏ ସରକାରଙ୍କୁ ସମାଲୋଚନା କରନ୍ତି ସିନା କିନ୍ତୁ ନିଜ ପାଇଁ ଗଳାବାଟ ମଧ୍ୟ ପ୍ରସ୍ତୁତ ରଖନ୍ତି | ପଞ୍ଜାବର ଲୋକମାନେ ବର୍ତ୍ତମାନ ବିଦ୍ୟୁତ କାଟର ଶିକାର ହେଉଛନ୍ତି। ଆଉ ଏହାକୁ ନେଇ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ କ୍ୟାପଟେନ ସରକାରଙ୍କୁ ଘେରିବାକୁ ଅନେକ ଟ୍ୱିଟ କରିଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଗୋଟିଏ ପଟେ ସିଦ୍ଧୁ ବିଦ୍ୟୁତ୍ ଯୋଗାଣକୁ ନେଇ ସରକାରଙ୍କୁ ଘେରିଥିବାବେଳେ ଅନ୍ୟ ପଟେ କିନ୍ତୁ ନିଜର ୮.୬୭ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ଦେଇ ନାହାଁନ୍ତି। ଏହି ବିଲ ପଇଠ କରିବାର ଶେଷ ତାରିଖ ଜୁଲାଇ ୨ ଥିଲା |

ବିଭାଗୀୟ ରେକର୍ଡ ଅନୁଯାୟୀ ଡିସେମ୍ବର ୧୫, ୨୦୨୦ ରେ ସିଦ୍ଧୁଙ୍କ ଘରର ବିଦ୍ୟୁତ ବିଲ ୧୫,୮୬,୭୩୦ ଟଙ୍କା, ଜାନୁଆରୀରେ ୧୬,୫୫,୮୮୦ ଟଙ୍କା, ଫେବୃଆରୀରେ ୧୭,୧୦,୮୭୦ ଟଙ୍କା ଏବଂ ମାର୍ଚ୍ଚ ୧୯ ରେ ୧୭,୫୮,୮୦୦ ଟଙ୍କା ବିଲ୍ ପ୍ରଦାନ କରାଯାଇଥିଲା। ବିଭାଗର ସୂଚନାନୁସାରେ, ସିଦ୍ଧୁ ମାର୍ଚ୍ଚ ମାସରେ ୧୦ ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ୍ ଜମା କରିଥିଲେ। ତା’ପରେ ଏପ୍ରିଲ୍ ୨୦ ରେ ତାଙ୍କର ୭,୮୯,୩୧୦ ଟଙ୍କା ଏବଂ ଜୁନ୍ ୨୨ ରେ ୮,୬୭,୫୪୦ ଟଙ୍କା ବିଦ୍ୟୁତ ବିଲ୍ ଜାରି କରାଯାଇଥିଲା। ଏହାର ଦେୟ ପାଇଁ ଶେଷ ତାରିଖ ଜୁଲାଇ ୨ ଥିଲା, କିନ୍ତୁ ସିଦ୍ଧୁ ଏହାକୁ ପଇଠ କରିନାହାନ୍ତି | ନିୟମ ଅନୁଯାୟୀ, ଯଦି ଜଣେ ଗ୍ରାହକ ବିଦ୍ୟୁତ୍ ବିଲ୍ ଧାର୍ଯ୍ୟ ତାରିଖ ସୁଦ୍ଧା ପ୍ରଦାନ କରିନଥାନ୍ତି, ତେବେ ଏକ କିମ୍ବା ଦୁଇ ସପ୍ତାହ ପରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଏ। କୌଣସି ସାଧାରଣ ଲୋକ ବିଦ୍ୟୁତ ବିଲ ପଇଠ ନ କଲେ ବିଦ୍ୟୁତ କର୍ମଚାରୀମାନେ ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରୁଥିବାବେଳେ ସିଦ୍ଧୁଙ୍କ ପାଇଁ କିନ୍ତୁ ଏହି ନିୟମ ଲାଗୁ କରାଯାଇନାହିଁ |

ବିଦ୍ୟୁତ ବିଭାଗର ମୁଖ୍ୟ ଇଂଜିନିୟର ସକତର ସିଂ କହିଛନ୍ତି ଯେ ନବଜୋତ ସିଂ ସିଦ୍ଧୁ ଜଣେ ଦାୟିତ୍ୱବାନ ନାଗରିକ, କିନ୍ତୁ ତାଙ୍କ ପାଖରୁ ସାଢେ ୮ ଲକ୍ଷରୁ ଅଧିକ ଟଙ୍କାର ବିଦ୍ୟୁତ ବିଲ ପାଇବାର ଅଛି | ଯଦି ଜଣେ ଗ୍ରାହକ ବିଦ୍ୟୁତ୍ ବିଲ୍ ଠିକ୍ ସମୟରେ ଜମା କରନ୍ତି ନାହିଁ, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ସମ୍ବନ୍ଧିତ ଖବର