ପୁଲଓ୍ଵାମା ଆତଙ୍କବାଦୀ କାଣ୍ଡ ପାଇଁ ପାକିସ୍ତାନକୁ ଦୋଷ ଦେବା ଠିକ ନୁହେଁ : ସିଦ୍ଧୁଙ୍କ ଏହି ବୟାନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା

ଅମୃତସର : ଗତ କାଲିର ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ଥିବାବେଳେ ଦଳଗତ ନିର୍ବିଶେଷରେ ସମସ୍ତେ ଉପରକୁ ଉଠି ସରକାରଙ୍କ ପଛରେ ଛିଡା ହେବାକୁ ଆହ୍ଵାନ ଦିଆଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ପରିସ୍ଥିତିରେ ସରକାରଙ୍କ ପଛରେ ରହିଥିବା ଘୋଷଣା କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ପାକିସ୍ତାନକୁ କଡା ଜବାବ ଦିଆଯିବ ବୋଲି କହିଛନ୍ତି ।

କିନ୍ତୁ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ନବଜ୍ୟୋତ ସିଂ ସିଦ୍ଧୁ ଏ ସଂପର୍କରେ ଏକ ଅତି ଦୁର୍ଭାଗ୍ୟଜନକ ବୟାନ ଦେଇଛନ୍ତି । ଏହି ଆତଙ୍କବାଦୀ କାଣ୍ଡ ଏକ ଦୁର୍ଭାଗ୍ୟଜନକ ଘଟଣା ।କିନ୍ତୁ ଏଥିପାଇଁ ପାକିସ୍ତାନକୁ ଦୋଷୀ ବୋଲି ମାନିବାକୁ ସେ ପ୍ରସ୍ତୁତ ନାହାନ୍ତି । ସେ କହିଛନ୍ତି ଯେ ଅଳ୍ପ କିଛି ଲୋକଙ୍କ ପାଇଁ ସମଗ୍ର ଏକ ଦେଶକୁ ଦୋଷୀ ବୋଲି କହିବା ଠିକ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦୀର କୌଣସି ଦେଶ ନ ଥାଏ । ଗୁଳି ବା ଯୁଦ୍ଧ ଦ୍ୱାରା ଏହି ସମସ୍ୟାର ସମାଧାନ ହେବ ନାହିଁ, ଆମକୁ କଥାବାର୍ତ୍ତାର ବାଟ ଖୋଲା ରଖିବାକୁ ହେବ । ସିଦ୍ଧୁଙ୍କର ଏହି ବୟାନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ସମ୍ବନ୍ଧିତ ଖବର