ନୂଆଦିଲ୍ଲୀ : କୋଭିଡ ଟିକା ପ୍ରସ୍ତୁତି କ୍ଷେତ୍ରରେ ସଫଳତା ଦାବି କରିଥିବା ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍’ର ଟିକାରେ ଥିବା କେତେକ ତ୍ରୁଟି ସାମନାକୁ ଆସିଛି । ପରୀକ୍ଷଣ ବେଳେ ଏହି ଟିକା ଦିଆଯାଇଥିବା ସ୍ବେଚ୍ଛାସେବୀମାନଙ୍କ ଶରୀରରେ ମୁଣ୍ଡବିନ୍ଧା ହେବା, ମୁଣ୍ଡ ଓଜନିଆ ଲାଗିବା, ମାଂସପେଶୀ ଦରଜ ହେବା ଓ ଜ୍ବର ଆଦି ଦେଖାଯାଉଛି ।
ବ୍ରିଟିସ ଖବରକାଗଜ ଡେଲି ମେଲରେ ପ୍ରକାଶିତ ତଥ୍ୟ ଅନୁସାରେ ୬ଟି ଦେଶରେ ପ୍ରାୟ ୪୩,୫୦୦ ଲୋକଙ୍କ ଶରୀରରେ ଏହି ଟିକାର ପରୀକ୍ଷଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକଙ୍କ ଶରୀରରେ ପ୍ରାର୍ଶ୍ବ ପ୍ରତିକ୍ରିୟା ଦେଖାଇଛି । ଏହା ଫଳରେ ଏହି ଟିକାକୁ ନେଇ ସାରା ବିଶ୍ବରେ ଦେଖାଯାଇଥିବା ଆଶା ନିରାଶାରେ ପରିଣତ ହୋଇଛି ।
ସୂଚନାଯୋଗ୍ୟ ଯେ ‘ଫାଇଜର୍’ ଏବଂ ଜର୍ମାନିର ‘ବାୟୋଏନ୍ଟେକ୍’ଦ୍ବାରା ମିଳିତଭାବେ ବିକଶିତ ଟିକା କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୦% ଫଳପ୍ରଦ ହୋଇଥିବା କଥା କମ୍ପାନି ଗତ ସପ୍ତାହରେ ଘୋଷଣା କରିଥିଲା ।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଦୁଇ ଡୋଜ୍ ଟିକାର ଦ୍ବିତୀୟଟି ନେବାର ସାତ ଦିନ ପରେ ଏବଂ ପ୍ରଥମଟି ନେବାର ୨୮ ଦିନ ପରେ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଆସିଯାଇଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ଏହି ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ପାଇବାକୁ ‘ଫାଇଜର୍’ ଆମେରିକୀୟ ‘ରେଗୁଲେଟର୍’ଙ୍କୁ ଆବେଦନ କରିଛି।