ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସାର୍ବଜନିକ କ୍ଷମା ପ୍ରାର୍ଥନା ଦାବିକୁ ପ୍ରତ୍ୟାଖ୍ୟାନ କଲେ ସିଦ୍ଧୁଙ୍କ ସମର୍ଥକ

ନୂଆଦିଲ୍ଲୀ: କ୍ଷମା ମାଗିବେନି ସିଦ୍ଧୁ | ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନେଇ କରିଥିବା ‘ଅପମାନଜନକ’ ଟ୍ୱିଟ୍‌ ପାଇଁ ନବ ନିଯୁକ୍ତ ପଞ୍ଜାବ କଂଗ୍ରେସ କମିଟି (ପିସିସି) ମୁଖ୍ୟ ନବଜୋତ ସିଂ ସିଦ୍ଧୁ କ୍ଷମା ମାଗିବେନି ବୋଲି ଆଜି ସିଦ୍ଧୁଙ୍କ କ୍ୟାମ୍ପ ରୋକଠୋକ ମନା କରିଦେଇଛନ୍ତି | ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ‘ଅପମାନଜନକ’ ଟ୍ୱିଟ୍‌ ପାଇଁ ସିଦ୍ଧୁଙ୍କୁ ସାର୍ବଜନିକ ଭାବେ କ୍ଷମା ମାଗିବାକୁ ଦାବି କରିଥିଲେ। କିନ୍ତୁ ଆଜି ଏହି ଦାବିକୁ ମାନିବାକୁ ସିଦ୍ଧୁଙ୍କ କ୍ୟାମ୍ପ ମନା କରିଛି |

କଂଗ୍ରେସ ବିଧାୟକ ତଥା ନବଜୋତ ସିଂ ସିଦ୍ଧୁଙ୍କ ଘନିଷ୍ଠ ସହଯୋଗୀ ପରଗତ ସିଂ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯଦି କାହାକୁ କ୍ଷମା ମାଗିବା ଦରକାର ତେବେ ସେ ଅମରିନ୍ଦର ସିଂ କାରଣ ସେ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି।

Amarinder Singh-Sidhu crisis
indiatoday.in

ଗତକଲି ନବଜୋତ ସିଂ ସିଦ୍ଧୁଙ୍କୁ ପିସିସି ମୁଖ୍ୟ କରାଯିବ ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳର ସମାଧାନ ହେବ ବୋଲି ଆଶା କରାଯାଉଥିଲା | କିନ୍ତୁ ଏବେ ତା’ର ଠିକ ବିପରୀତ ଘଟୁଥିବା ଦେଖାଯାଇଛି | କୁହାଯାଉଛି ଯେ, ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ କଂଗ୍ରେସର ଏହି ନି‌ଷ୍ପତ୍ତିରେ ଆଦୌ ସନ୍ତୁଷ୍ଟ ନାହାନ୍ତି। କିନ୍ତୁ ସେ ଦଳର ନିଷ୍ପତ୍ତିକୁ ଗ୍ରହଣ କରିନେଇଛନ୍ତି। ତେବେ ଅମରିନ୍ଦର ସିଦ୍ଧୁଙ୍କ ପଦୋନ୍ନତିରେ ଆଦୌ ସନ୍ତୁଷ୍ଟ ନଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଯାଇଛି।

ଆସନ୍ତା ୨୧ ତାରିଖରେ ଅମରିନ୍ଦର ପଞ୍ଚକୁଳାରେ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏହି ଅବସରରେ ଅମରିନ୍ଦର ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ନିମନ୍ତ୍ରିତ କରିଛନ୍ତି। କିନ୍ତୁ ସେ ସିଦ୍ଧୁଙ୍କୁ ଏଥିପାଇଁ ନିମନ୍ତ୍ରଣ କରିନାହାନ୍ତି। ଏଥିରୁ ଜଣାପଡ଼ିଛି ଯେ, ପଂଜାବ କଂଗ୍ରେସ‌ରେ ଅମରିନ୍ଦର-ସିଦ୍ଧୁ ବିବାଦ ଏଯାଏଁ ତୁଟିନି। ସିଦ୍ଧୁ କଂଗ୍ରେସ ସଭାପତି ହେବା ନିଷ୍ପତ୍ତିକୁ ଅମରିନ୍ଦର ବିରୋଧ କରୁଥିଲେ କିନ୍ତୁ ସେ ଶେଷରେ ଏହାକୁ ସ୍ବୀକାର କରିନେଇଛନ୍ତି। କିନ୍ତୁ ବାସ୍ତବରେ ସେ ସିଦ୍ଧୁଙ୍କୁ ପଂଜାବ କଂଗ୍ରେସ ମୁଖ୍ୟ ଭାବେ ଗ୍ରହଣ କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର