ପାକ୍‌ ସେନାଧ୍ୟକ୍ଷଙ୍କୁ ସିଦ୍ଧୁଙ୍କ ଆଲିଙ୍ଗନ

ଇସ୍‌ଲାମାବାଦ: ପୂର୍ବ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଶନିବାର ଇସ୍‌୍‌ଲାମାବାଦରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ। ଏହି ଅବସରରେ ସିଦ୍ଧୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ଵାଙ୍କୁ ୨ ଥର ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା। ସିଦ୍ଧୁଙ୍କ ସହିତ ବାଜଓ୍ଵାଙ୍କ ଆଲିଙ୍ଗନ ଫଟୋ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। କେବଳ ଏତିକି ନୁହେଁ, ସିଦ୍ଧୁ ସମାରୋହରେ ପାକ୍‌ ଅଧିକୃତ କଶ୍ମୀର ରାଷ୍ଟ୍ରପତି ମସୁଦ ଖାନ୍‌ଙ୍କ ସହିତ ବସି ଅନ୍ତରଙ୍ଗ ଆଳାପରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ ପ୍ରବକ୍ତା ରସିଦ୍‌ ଆଲ୍‌ଭି ଏକ ଚ୍ୟାନେଲରେ କହିଛନ୍ତି ଯେ ଯଦି ସିଦ୍ଧୁ ମୋର ପରାମର୍ଶ ଲୋଡ଼ିଥାନ୍ତେ ତା’ହେଲେ ମୁଁ ତାଙ୍କୁ ପାକିସ୍ତାନ ଯିବାରୁ ଅଟକାଇଥାନ୍ତି। ସେ ନିଜ ବନ୍ଧୁଙ୍କ ପାଇଁ ପାକିସ୍ତାନ ଯାଇଛନ୍ତି ବୋଲି ଆଲ୍‌ଭି କହିଛନ୍ତି। ସୀମାରେ ଆମର ଯବାନ ଲଗାତାର ପାକ୍‌ ଆକ୍ରମଣରେ ସହିତ ହେଉଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନ ଯାଇ ସେଠାରେ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବା ଭୁଲ୍‌ ବାର୍ତ୍ତା ଦେଉଛି ବୋଲି ସେ କହିଛନ୍ତି। ତେବେ ସିଦ୍ଧୁ ଏହି ସମାଲୋଚନାକୁ ଅଣଦେଖା କରି କହିଛନ୍ତି ଯେ ସେ ହୃଦୟ ଯୋଡ଼ିବାକୁ ପାକିସ୍ତାନ ଆସିଛନ୍ତି। ମୁଁ ମୋର ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ପାକିସ୍ତାନ ଆସିଛି। ଏହା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି। କ୍ରିଡ଼ାବିତ୍‌ ଏବଂ କଳାକାର ଦେଶମାନଙ୍କ ମଧ୍ୟରେ ଦୂରତା କମାଇ ଦେଇଥାନ୍ତି ଏବଂ ମୁଁ ପ୍ରେମର ବାର୍ତ୍ତା ନେଇ ପାକିସ୍ତାନ ଆସିଛି ବୋଲି ସିଦ୍ଧୁ କହିଛନ୍ତି। ସୂଚନାଯୋଗ୍ୟ ସିଦ୍ଧୁଙ୍କ ସହିତ କପିଲ ଦେବ ଏବଂ ସୁନୀଲ ଗାଭାସ୍କରଙ୍କୁ ମଧ୍ୟ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଥିଲା। କିନ୍ତୁ ସେମାନେ ଏହି ଉତ୍ସବକୁ ଯାଇନାହାନ୍ତି।

ସମ୍ବନ୍ଧିତ ଖବର