ଚଣ୍ଡୀଗଡ଼ : ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଓଜନ ବର୍ତ୍ତମାନ ୯୯ କେଜି ବୋଲି କହିଛନ୍ତି ତାଙ୍କର ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ବିଧାୟକ ନବତେଜ ସିଂହ ଚିମା। ଚିମା କହିଛନ୍ତି, କ୍ରିକେଟ ଖେଳିଲା ବେଳେ ୧୯୮୦ ଓ ୯୦ ଦଶକରେ ସିଦ୍ଧୁ ଯେମିତି ଦେଖାଯାଉଥିଲେ ବର୍ତ୍ତମାନ ଠିକ୍ ସେମିତି ଦେଖାଯାଉଛନ୍ତି। ଜେଲରେ ଛଅମାସ ରହିବା ଭିତରେ ସିଦ୍ଧୁଙ୍କ ଓଜନ ୩୪ କେଜି କମିଛି। ଜେଲ ଯିବା ପୂର୍ବରୁ ତାଙ୍କର ଓଜନ ଥିଲା ୧୩୩ କେଜି। ଜେଲ ଭିତରେ ଥାଇ ଯୋଗ-ପ୍ରାଣାୟାମ ଓ ଧ୍ୟାନ କରିବା ଏବଂ କଡ଼ାକଡ଼ି ଖାଦ୍ୟ କଟକଣା ଭିତରେ ରହିବା ଯୋଗୁ ସେ ଛଅମାସରେ ଏତେ ଓଜନ କମାଇପାରିଛନ୍ତି ବୋଲି ଚିମା କହିଛନ୍ତି। ୧୯୮୮ର ଏକ ହିଂସା ମାମଲାରେ ସିଦ୍ଧୁ ଏକବର୍ଷର ଜେଲଦଣ୍ଡ ଭୋଗୁଛନ୍ତି।