ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁଙ୍କ ହତ୍ୟା ପ‌ରେ ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଘାରିଲାଣି ଏନକାଉଣ୍ଟର ଭୟ, ରିମାଣ୍ଡରେ ଯିବାକୁ ହେଉଛି ଅରାଜି

ଚଣ୍ଡୀଗଡ଼: ମାନସା ଜିଲ୍ଲାରେ କଂଗ୍ରେସ ନେତା ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁଜ୍ ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲ। ମୁଜ୍ ୱାଲା ଏବଂ ତାଙ୍କର ଦୁଇ ବନ୍ଧୁ ପଞ୍ଜାବର ନିଜ ଗ୍ରାମ ମାନସା ଅଭିମୁଖେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା। କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଓ ତିହାର ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ମିଶି ସିଦ୍ଧୁଙ୍କୁ ହତ୍ୟା କରିବାର ଯୋଜନା କରିଥିବା ଜଣାପଡ଼ିଛି। ଏବେ ପୁଲିସ ଲରେନ୍ସ ବିଷ୍ଣୋଇକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ଯୋଜନା କରୁଥିବା ବେଳେ ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଏବେ ଏନକାଉଣ୍ଟର ଭୟ ଘାରିଛି।

ପଞ୍ଜାବ ପୁଲିସ ସିଦ୍ଧୁଙ୍କ ହତ୍ୟା ପାଇଁ ରିମାଣ୍ଡରେ ନେଲେ ଏନକାଉଣ୍ଟର କରିଦେବ ବୋଲି ସନ୍ଦେହ କରି ପଟିଆଲା ହାଉସ କୋର୍ଟରେ ସେ ଏକ ଆବେଦନ କରିଛନ୍ତି। ଯେଉଁଥିରେ ତାଙ୍କୁ ରିମାଣ୍ଡ‌ରେ ନପଠାଯାଉ ବୋଲି ଲେଖାଯାଇଛି।

ତେବେ ସିଦ୍ଧୁଙ୍କୁ ହତ୍ୟା କରିବା ପରେ କାନାଡାରେ ଥିବା ଗୋଲ୍ଡି ବ୍ରାର ଫେସବୁକ ପୋଷ୍ଟ କରି ସିଦ୍ଧୁଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲେ। ଗୋଲ୍ଡି ବ୍ରାର ଓ ତିହାର ଜେଲରେ ବନ୍ଦ ଥିବା ଲରେନ୍ସ ବିଷ୍ଣୋଇ ଭଲ ବନ୍ଧୁ ହୋଇଥିବାରୁ ଲରେନ୍ସଙ୍କ ସହାୟତାରେ ଗୋଲ୍ଡି ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରୁଛି। ଏ‌ନେଇ ପୁଲିସ ଲରେନ୍ସ ବିଷ୍ଣୋଇକୁ ପଚରାଉଚରା ପାଇଁ ରିମାଣ୍ଡରେ ନେବାକୁ ଚାହୁଁଛି। ହେଲେ ରିମାଣ୍ଡରେ ଯିବାକୁ ଅରାଜି ହୋଇଛନ୍ତି ଲରେନ୍ସ।

ଲରେନ୍ସ ବିଷ୍ଣୋଇକୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି ଏବଂ ସେଠାରୁ ଏଭଳି ହତ୍ୟାକାଣ୍ଡ ଘଟାଉଛି। ହ୍ବାଟସ୍ ଆପ୍ ମାଧ୍ୟମରେ ଲରେନ୍ସ ବିଷ୍ଣୋଇର ଗ୍ରୁପ ସୁପାରୀ ନେବା ସହ ହତ୍ୟା କରିଥାନ୍ତି। ତା’ପରେ ଫେସବୁକରେ ନିଜର ଅପରାଧ ସ୍ୱୀକାର କରନ୍ତି। ଏହି ଗ୍ୟାଙ୍ଗର ନେଟୱାର୍କ ସାରା ଦେଶରେ ବ୍ୟାପିଛି। କୁହାଯାଉଛି ଯେ, ଲରେନ୍ସ ବିଷ୍ଣୋଇ ଜେଲରୁ କାନାଡାରେ ବସିଥିବା ନିଜ ଗ୍ୟାଙ୍ଗଷ୍ଟର ବନ୍ଧୁ ଗୋଲଡି ବ୍ରାରଙ୍କ ସହ କଥା ହୋଇ ସିଦ୍ଧୁ ମୁଜ୍ ୱାଲାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ।

ସମ୍ବନ୍ଧିତ ଖବର