ମୁସେୱାଲାଙ୍କୁ ହତ୍ୟା କରିବା ପରେ ଏବେ ତାଙ୍କ ବାପାଙ୍କୁ ମିଳୁଛି ଧମକ, କିଛି ମାସ ପାଇଁ ଗାଁ ଛାଡ଼ିଲେ

ଚଣ୍ଡୀଗଡ଼: ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବାର ପ୍ରାୟ ଦୁଇ ମାସ ବିତିଛି। ପୁଅର ହତ୍ୟାକାରୀକୁ ପୁଲିସ ଗୋଟି ଗୋଟି କରି ଖୋଜୁଥିବା ବେଳେ ଏବେ ତାଙ୍କ ବାପାଙ୍କୁ ହତ୍ୟା ଧମକ ମିଳୁଥିବା ଜଣାପଡ଼ିଛି। ମୁସେୱାଲାଙ୍କ ମୃତ୍ୟୁ ପରେ ବି ଏବେ ‌ତାଙ୍କ ପ୍ରଶଂସକ ତାଙ୍କ ଘରକୁ ଆସି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ସାମ୍ନାକୁ ଆସିଛି। ହେଲେ ଆଗକୁ ଘରକୁ ନଆସିବା ପାଇଁ ପ୍ରଶଂସକଙ୍କୁ ମନା କରିଛନ୍ତି ସିଦ୍ଧୁ ମୁସେୱାଲାଙ୍କ ବାପା। ପାକିସ୍ତାନରୁ ତାଙ୍କୁ ହତ୍ୟା ଧମକ ମିଳୁଥିବାରୁ ସେ କିଛି ମାସ ପାଇଁ ଗାଁ ଛାଡ଼ୁଥିବା କହି ଲୋକଙ୍କୁ ଘରକୁ ନଆସିବା ପାଇଁ କହିଥିବା ଚର୍ଚ୍ଚା ହେଉଛି।

ନିକଟରେ ସିଦ୍ଧୁ ମୁସେୱାଲାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ପେଜରେ ଏକ ‌ପୋଷ୍ଟ କରାଯାଇଥିଲା। ସେଥିରେ କୁହାଯାଇଥିଲା ଯେ, ଯେଉଁମାନେ ମୁସେୱାଲାଙ୍କ ପିତାମାତାଙ୍କୁ ଭେଟିବାକୁ ଏବଂ ସେମାନଙ୍କ ଘରକୁ ଆସି ଶୋକ ପ୍ରକାଶ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ନଆସିବାକୁ ଅନୁରୋଧ। କାରଣ  ସିଦ୍ଧୁ ମୁସେୱାଲାଙ୍କ ପିତାମାତା କିଛି ମାସ ପାଇଁ ଗାଁ ଛାଡୁଛନ୍ତି। ଯେଉଁମାନେ ତାଙ୍କୁ ଭେଟିବାକୁ ଆସିବା ପାଇଁ ଚାହୁଁଛନ୍ତି ସେମାନେ ନିରାଶ ହୁଅନ୍ତୁ ନାହିଁ। ଆମେ ଆପଣଙ୍କୁ ପୋଷ୍ଟ ମାଧ୍ୟମରେ ଅପଡେଟ୍ ଦେବୁ।

ପୋଷ୍ଟରେ ଗାଁ ଛାଡ଼ିବାର କାରଣ କୁହାଯାଇନଥିଲେ ବି ଜାତୀୟ ଗଣମାଧ୍ୟମ ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ, ମୁସେୱାଲାଙ୍କ ପିତା ବଲକୌର ସିଂଙ୍କୁ ପାକିସ୍ତାନର ଏକ ନମ୍ବରରୁ ସୋସିଆଲ ମିଡିଆରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଏହି ମାମଲା ସାମ୍ନାକୁ ଆସିବା ମାତ୍ରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏ ବାବଦରେ କୌଣସି ଅଧିକାରୀକ ବିବୃତି ଜାରି କରାଯାଇ ନାହିଁ। କଣ୍ଠଶିଳ୍ପୀଙ୍କ ପିତାମାତା କେଉଁଆଡେ ଯାଇଛନ୍ତି ତାହା ମଧ୍ୟ ଜଣା ପଡିନାହିଁ।

ସମ୍ବନ୍ଧିତ ଖବର