ନୂଆଦିଲ୍ଲୀ : ଖ୍ୟାତନାମା ପଂଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଜଣେ ମୁଖ୍ୟ ସନ୍ଦିଗ୍ଧ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ ଏଯାବତ୍ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ସ୍ବୀକାର କରିନି। କିନ୍ତୁ ପ୍ରତିଶୋଧ ପାଇଁ ମୁସେୱାଲାଙ୍କୁ ହତ୍ୟା କରାଯାଇଛି ବୋଲି ଲରେନ୍ସ ବିଷ୍ଣୋଇ କହିଥିବା ଦିଲ୍ଲୀ ପୁଲିସ ସୂତ୍ରରୁ ଜଣାପଡ଼ିଛି। ଲରେନ୍ସ କହିଛି, ଏହି ହତ୍ୟାକାଣ୍ଡରେ ତା’ର ସମ୍ପୃକ୍ତ ନାହିଁ କିନ୍ତୁ ତା’ ଗ୍ୟାଙ୍ଗ୍ ହତ୍ୟାର ଯୋଜନା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ କରିଥିଲା। ଦିଲ୍ଲୀର ତିହାର ଜେଲ୍ରେ ଥିବା ଲରେନ୍ସ ବିଷ୍ଣୋଇକୁ ଚଳିତ ସପ୍ତାହରେ ଜେରା ପାଇଁ ଦିଲ୍ଲୀ ପୁଲିସ ଦ୍ବାରା ହାଜତକୁ ନିଆଯାଇଥିଲା। ପ୍ରଥମେ ଲରେନ୍ସ ବିଷ୍ଣୋଇ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିଲା। କିନ୍ତୁ ପରେ ତା’ ଗ୍ୟାଙ୍ଗ୍ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସ୍ବୀକାର କରିଛି।
ମୁସେୱାଲାଙ୍କ ହତ୍ୟା ମାମଲା ପାଇଁ ନିଜକୁ ଦାୟୀ କରିଥିବା କାନାଡ଼ାର ଗ୍ୟାଙ୍ଗଷ୍ଟର୍ ଗୋଲ୍ଡି ବ୍ରାର୍ ସହ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ କାମ କରୁଛି। ଲରେନ୍ସ ବିଷ୍ଣୋଇ କହିଛି ଗୋଲ୍ଡି ବ୍ରାର୍ ମୁସେୱାଲାଙ୍କ ହତ୍ୟା ଯୋଜନା କରିଥିଲା। କିନ୍ତୁ ଅନ୍ୟ ସହଯୋଗୀଙ୍କ ନାମ ସେ ପ୍ରକାଶ କରିନି। ଅନ୍ୟପକ୍ଷେ କାନାଡ଼ାରେ ରହି ଭାରତରେ ବିଭିନ୍ନ ହତ୍ୟା ଯୋଜନା କରୁଥିବା ଗୋଲ୍ଡି ବ୍ରାର୍ ସଂପର୍କରେ ମଧ୍ୟ ତଦନ୍ତ ଜାରି ରହିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟମାନେ ହେଉଛନ୍ତି ରାଜା ମଣ୍ଟି ଏବଂ କାଲା ରାଣା। ଥାଇଲାଣ୍ଡ୍ରୁ ସେମାନଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇଛି ଏବଂ ମାର୍ଚ୍ଚରେ ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ପ୍ରାୟ ୩୦ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ।