ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଦିଲ୍ଲୀ ପୁଲିସ-ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ମଧ୍ୟରେ ଏନକାଉଣ୍ଟର , ୩ ଗିରଫ

ନୂଆଦିଲ୍ଲୀ : ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ପଂଜାବ ପୁଲିସ ଆଜି ପଳାତକ ସୁଟର୍‌ ଦୀପକ ମୁଣ୍ଡିକୁ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କରିଛି। ତା’ର ୨ ସହଯୋଗୀ କପିଲ ପଣ୍ଡିତ ଏବଂ ରାଜିନ୍ଦର ମଧ୍ୟ ଗିରଫ ହୋଇଛନ୍ତି। ପଂଜାବ ପୁଲିସ ଶନିବାର ଦିନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବଂ ଦିଲ୍ଲୀ ପୁଲିସର ମିଳିତ ଅପରେସନ୍‌ରେ ଦୀପକ ଓରଫ ମୁଣ୍ଡିକୁ ଗିରଫ କରିଛି। ପଂଜାବ ଡିଜିପି ଗୌରବ ଯାଦବ କହିଛନ୍ତି, ଏହା ଏକ ବଡ଼ ସଫଳତା। ସମସ୍ତ ଗିରଫ ଅଭିଯୁକ୍ତ କାନାଡାର ଗ୍ୟାଙ୍ଗଷ୍ଟର ‌ଗୋଲ୍ଡି ବ୍ରାର୍‌ ସହ ସିଧାସଳଖ ଯୋଗାଯୋଗରେ ରହିଥିଲେ।

ଅନ୍ୟପକ୍ଷେ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ମଧ୍ୟରେ ଶନିବାର ଦିନ ଏନକାଉଣ୍ଟର ହୋଇଛି। ରୋହିଣୀ ଅଞ୍ଚଳର ସେକ୍ଟର ୩୬ରେ ଏହି ଏନକାଉଣ୍ଟର ହୋଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ମେମ୍ବରଙ୍କ ସଂକ୍ରାନ୍ତରେ ସୂଚନା ପାଇବାପରେ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ଦ୍ବାରା ବରୱାଲା-ବାୱନା ରୋଡ୍‌ରେ ଅପରେସନ ଆରମ୍ଭ ହୋଇଥିଲା। ପୁଲିସ ସେମାନଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ ସୁଦ୍ଧା ସେମାନେ ଏହାକୁ ଖାତିର ନକରି ପୁଲିସ ଉପରକୁ ଗୁଳି ଚଳାଇଥିଲେ। ପୁଲିସ ପାଳଟା ଗୁଳି ଚାଳନା କରିଥିଲା। ଜଣେ ପୁଲିସ ଅଫିସରଙ୍କ ଦେହରେ ଗୁଳି ମାଡ଼ ହୋଇଥିଲା। କିନ୍ତୁ ବୁଲେଟ ପ୍ରୁଫ୍‌ ଜାକେଟ୍‌ ପିନ୍ଧିଥିବାରୁ ସେ ବର୍ତ୍ତି ଯାଇଥିଲେ। ଏନକାଉଣ୍ଟର ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ର ଜବତ କରିଛି। ଗିରଫ ହୋଇଥିବା ୩ ଜଣ ବ୍ୟକ୍ତି ହେଉଛନ୍ତି ନବୀନ, ମନୋଜ ଏବଂ କରମବୀର। ପୁଲିସ ସୂଚନା ଅନୁଯାୟୀ ଉକ୍ତ ୩ ଅଭିଯୁକ୍ତ ସିଧାସଳଖ ଭାବେ ଗୋଲ୍ଡି ବ୍ରାର୍‌ ସହ ଯୋଗାଯୋଗରେ ଥିଲେ।

ସମ୍ବନ୍ଧିତ ଖବର