ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ୍‌ ଗୋଲ୍ଡି ବ୍ରାର ଆମେରିକାରେ ଅଟକ

ଅମୃତସର : ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌କୁ ଆମେରିକାର କାଲିଫର୍ଣ୍ଣିଆରେ ଅଟକ ରଖାଯାଇଛି। ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆଜି ଗୁଜରାଟ‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦ ସୂଚନା ଦେଇଛନ୍ତି। ମାନ୍‌ କହିଛନ୍ତି, ଗୋଲ୍ଡି ବ୍ରାର୍‌ ଆମେରିକାରେ ଅଟକ ରହିଛି ଏବଂ ତାକୁ ଖୁବ୍‌ ଶୀଘ୍ର ଭାରତ ପ୍ରତ୍ୟର୍ପଣ କରାଯିବ। ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଗୋଲ୍ଡି ବିଦେଶରେ ରହି ସବୁ ଷଡ଼ଯନ୍ତ୍ର କରିଥିଲା ଏବଂ ତାକୁ କଠୋର ଦଣ୍ଡ ମିଳିବ ବୋଲି ମାନ୍‌ କହିଛନ୍ତି।

ପ୍ରାୟ ସପ୍ତାହେ ହେବ ଗୋଲ୍ଡି ବ୍ରାର୍‌ ଆମେରିକାରେ ପୁଲିସ ହାଜତରେ ଅଛି। ସିବିଆଇ ଏବଂ ଏନ୍‌ଆଇଏ ଗୋଲ୍ଡି ବ୍ରାର୍‌ ସଂକ୍ରାନ୍ତରେ ଜାଣିବାପାଇଁ ଆମେରିକା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁବାର ମୁସେୱାଲାଙ୍କ ବାପା ବାଲ୍‌କୌର ସିଂହ ଗୋଲ୍ଡି ବ୍ରାର୍‌ ସଂକ୍ରାନ୍ତରେ ସୂଚନା ହାସଲ ପାଇଁ ପଂଜାବ ସରକାର ୨ କୋଟି ପୁରସ୍କାର ରାଶି ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ। ନିଜ ଜମି ବିକି ସେ ଏ‌ହି ଟଙ୍କା ଦେବେ ବୋଲି କହିଥିଲେ। ମୁସେୱାଲାଙ୍କ ବାପା କହିଥି‌ଲେ ଯେ ଆମେରିକାରେ ଗୋଲ୍ଡି ବ୍ରାର୍‌ର ଗିରଫ ସଂକ୍ରାନ୍ତରେ ଆମ ପାଖରେ କିଛି ସ୍ପଷ୍ଟ ସୂଚନା ନାହିଁ। କେବଳ ଗଣମାଧ୍ୟମ ରିପୋର୍ଟରୁ ଆମେ ଏହା ଜାଣିଛୁ। ଯଦି ଏହା ସତ ହୋଇଥାଏ ତେବେ ଏହା ଶୋକସନ୍ତପ୍ତ ପରିବାର ପାଇଁ ସବୁଠୁ ବଡ଼ ଆଶ୍ବସ୍ତି ହେବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର