ଅମୃତସର : ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଶେଷକୃତ୍ୟ ଆଜି ତାଙ୍କ ପୈତୃକ ଗ୍ରାମରେ ସମ୍ପନ୍ନ ହୋଇଛି। ପଂଜାବର ମାନସା ଜିଲ୍ଲା ଅଧୀନସ୍ଥ ମୁସା ଗ୍ରାମରେ ମୁସେୱାଲାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ମୁସେୱାଲାଙ୍କ ପୈତୃକ ଗ୍ରାମ ମୁସା ସ୍ଥିତ ତାଙ୍କ ବାସଭବନ ବାହାରେ ଆଜି ହଜାର ହଜାର ସଂଖ୍ୟାରେ ସମର୍ଥକ ରୁଣ୍ଡ ହୋଇ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ। ମୁସେୱାଲାଙ୍କ ଶେଷକୃତ୍ୟ ତାଙ୍କ ଗାଁ ଶ୍ମଶାନରେ କରାନଯାଇ ତାଙ୍କ ନିଜର ଏକ ଚାଷ ଜମିରେ କରାଯାଇଛି। ଆଜି ସକାଳ ପ୍ରାୟ ୮ଟା ସମୟରେ ମୁସେୱାଲାଙ୍କ ବାପା ତାଙ୍କ ମୃତ ଶରୀରକୁ ମନ୍ସା ସିଭିଲ୍ ହସ୍ପିଟାଲ୍ରୁ ଆଣିଥିଲେ। ଏହାପlj ମୁସେୱାଲାଙ୍କ ଶରୀରକୁ ତାଙ୍କ ଗାଁ ସ୍ଥିତ ଘରେ ରଖାଯାଇଥିଲା। ପଂଜାବ, ରାଜସ୍ଥାନ ଏବଂ ଚଣ୍ଡିଗଡ଼ରୁ ହଜାର ହଜାର ଫ୍ୟାନ୍ ମୁସେୱାଲାଙ୍କ ଶେଷ ଦର୍ଶନ ପାଇଁ ଆଜି ତାଙ୍କ ଘର ବାହାରେ ରୁଣ୍ଡ ହୋଇଥିଲେ। ମୁସେୱାଲାଙ୍କୁ ତାଙ୍କର ପ୍ରିୟ ଟ୍ରାକ୍ଟର୍ରେ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା। ମୁସେୱାଲାଙ୍କ ଅନ୍ତିମ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଫ୍ୟାନ୍ ଏବଂ ସମର୍ଥକ ଯୋଗ ଦେଇଥିଲେ। ୨୮ ବର୍ଷୀୟ ମୁସେୱାଲାଙ୍କ ଶବାଧାରକୁ ଆଲିଙ୍ଗନ କରି ତାଙ୍କ ବାପା ମା’ କାନ୍ଦୁଥିବା ଦୃଶ୍ୟ ଲୋକଙ୍କ ଆଖିରେ ଲୁହ ଆଣିଥିଲା। ମୁସେୱାଲାଙ୍କ ପିତା ତାଙ୍କ ପଗଡ଼ି ଓହ୍ଲାଇ କାନ୍ଦୁଥିବା ବେଳେ ମା’ ବାରମ୍ବାର ତାଙ୍କ ସ୍ବାମୀଙ୍କ ଆଖିରୁ ଲୁହ ପୋଛୁଥିଲେ ଏବଂ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।
ନଭେମ୍ବରରେ ବାହା ହୋଇଥାନ୍ତେ
ନୂ୍ଆଦିଲ୍ଲୀ: ସିଦ୍ଧୁ ମୁସେୱାଲା ନଭେମ୍ବରରେ ବିବାହ କରିଥାନ୍ତେ। ଶୁଭଦୀପ ସିଂହ ତଥା ସିଦ୍ଧୁ ମୁସେୱାଲାଙ୍କୁ ଆସନ୍ତା ଜୁନ୍ ୧୭ରେ ୨୯ ବର୍ଷ ହୋଇଥାନ୍ତା। ପଂଜାବର ସାଙ୍ଗରୁର୍ ଜିଲ୍ଲାର ଅମନଦୀପ କୌରଙ୍କୁ ସେ ଆସନ୍ତା ନଭେମ୍ବରରେ ବିବାହ କରିଥାନ୍ତେ। ଅମନଦୀପ କୌର କାନାଡ଼ାରେ ରୁହନ୍ତି। ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମୁସେୱାଲାଙ୍କ ମା’ ଚରନ କୌର ପୁଅର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା କହିଥିଲେ। ମୁସେୱାଲା ଏପ୍ରିଲରେ ବିବାହ ପାଇଁ ଯୋଜନା କରିଥିଲେ। କିନ୍ତୁ ପଂଜାବ ବିଧାନସଭା ନିର୍ବାଚନରେ ହାରିବା ପରେ ସେ ତାଙ୍କ ବିବାହ ନଭେମ୍ବରକୁ ଘୁଞ୍ଚାଇଥିଲେ। ଅମନଦୀପ କୌର ହେଉଛିନ୍ତି କାନାଡ଼ାର ଜଣେ ପିଆର୍। ୨ ବର୍ଷ ପୂର୍ବେ ସେମାନଙ୍କ ଦେଖା ହୋଇଥିଲା। କିନ୍ତୁ ସବୁ ଯୋଜନା ଯୋଜନାରେ ରହିଗଲା। ପୁଅ ବାହାଘର କରିବାପାଇଁ ମୁସେୱାଲାଙ୍କ ମା’ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୂରଣ କରିପାରିନାହାନ୍ତି। ଆଜି ଶେଷକୃତ୍ୟ ପୂର୍ବରୁ ମୁସେୱାଲାଙ୍କୁ ତାଙ୍କ ମା’ ବରବେଶରେ ସଜାଇଥିଲେ।