ପାକ୍‌ ଯିବେନି ମୋଦୀ, କରତାରପୁର କରିଡ଼ରର ଶିଳାନ୍ୟାସ

ଇମ୍ରାନ ମୋର ହୃଦୟ ଖୋଲା ବନ୍ଧୁ: ସିଦ୍ଧୁ

କରତାରପୁର(ପାକିସ୍ତାନ): ଭାରତ ଓ ପାକିସ୍ତାନ ମଧ୍ୟରେ ନିର୍ମାଣ ହେବାକୁ ଥିବା ଐତିହାସିକ କରତାରପୁର କରିଡ଼ର ପାଇଁ ଆଜି କରତାରପୁରଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ଖାନ୍ କହିଥିଲେ, ଭାରତ ସହିତ ସମ୍ପର୍କକୁ ଆଗକୁ ବଢ଼ାଇବା ଲାଗି ଆମେ ଆଗ୍ରହୀ ଅଛୁ। ଭାରତ ସହିତ ଏକ ମଜଭୁତ ଏବଂ ସଭ୍ୟ ସମ୍ପର୍କ ସ୍ଥାପନ ଲାଗି ପାକିସ୍ତାନ ଆଗ୍ରହୀ ଅଛି। ଦୁଇ ଦେଶ କଶ୍ମୀର ସମେତ ସବୁ ସମସ୍ୟାର ସମାଧାନ କରିପାରିବେ ବୋଲି ଶ୍ରୀ ଖାନ୍ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର୍ ଜା‌ଭେଦ ବଜୱା, ଭାରତର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲ, ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ, ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପ୍ରମୁଖ ଯୋଗଦେଇଥିଲେ। ଫ୍ରାନ୍ସ ଓ ଜର୍ମାନୀ ଯଦି ଏକାଧିକ ଯୁଦ୍ଧ କରିବା ସହିତ ଏବେ ଶାନ୍ତିରେ ବାସ କରି ପାରୁଛନ୍ତି ତାହେଲେ ଭାରତ ଏବଂ ପାକିସ୍ତାନ କାହିଁକି ନୁହେଁ ବୋଲି ଶ୍ରୀ ଖାନ୍ କହିଛନ୍ତି। ଭଗବାନ ପାକିସ୍ତାନ ଓ ଭାରତକୁ ଯେଉଁ ସୁଯୋଗ ଦେଇଛନ୍ତି ଦୁଇ ଦେଶ ତାହାକୁ ବୁଝିପାରୁନାହାନ୍ତି। ଯେତେବେଳେ ସେ ଭାରତ ଗସ୍ତରେ ଯାଆନ୍ତି ସେତେବେଳେ ତାଙ୍କୁ କୁହାଯାଇଥାଏ ଯେ, ରାଜନେତାମାନେ ଏକାଠି ଅଛନ୍ତି। କିନ୍ତୁ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବ ସ୍ଥାପନକୁ ସେନା କରିବାକୁ ଦେବନାହିଁ। ତେବେ ଆଜି ସେ ଦୃଢ଼ତାର ସହିତ ଏହା କହିପାରିବେ ଯେ, ରାଜନେତା, ସେନାବାହିନୀ ଓ ଅନ୍ୟ ସମସ୍ତ ପ୍ରତିଷ୍ଠାନର ଏକ ପ୍ରକାର ମନୋଭାବ ରହିଛି। ଆମର କଶ୍ମୀର ହେଉଛି ଏକମାତ୍ର ସମସ୍ୟା। ଯଦି ମଣିଷ ଚନ୍ଦ୍ରରେ ଚାଲିପାରୁଛି ତାହ‌େଲେ କଶ୍ମୀର ସମସ୍ୟାକୁ କାହିଁକି ସମାଧାନ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ବନ୍ଧୁତ୍ବ ସ୍ଥାପନରେ ଭାରତ ଏକପାଦ ଆଗକୁ ବଢ଼ିଲେ ପାକିସ୍ତାନ ଦୁଇପାଦ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି। ପଞ୍ଜାବ ମନ୍ତ୍ରୀ ଶ୍ରୀ ସିଦ୍ଧୁ ତାଙ୍କ ବକ୍ତବ୍ୟରେ କହିଥିଲେ ପର୍ଯ୍ୟାପ୍ତ ହିଂସା ଘଟିଯାଇଛି। ଏହି ଅଞ୍ଚଳରେ ଶାନ୍ତି ସ୍ଥାପନରେ ଉକ୍ତ କରିଡର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ସେହିଭଳି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର କହିଥିଲେ, ଯଦି ବର୍ଲିନ ପ୍ରାଚୀରଙ୍କୁ ଭାଙ୍ଗି ଦିଆଯାଇ ପାରିଲା ତାହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଘୃଣା ଓ ଅବିଶ୍ବାସରେ କାହିଁକି ପୂର୍ଣ୍ଣଛେଦ ପଡ଼ିପାରିବ ନାହିଁ?

ଶାନ୍ତି ପାଇଁ ସିଦ୍ଧୁ ପ୍ରଧାନମନ୍ତ୍ରୀ ହେବାକୁ ଅପେକ୍ଷା କରି ହେବନି: ଇମ୍ରାନ

ଦୁଇ ଦେଶ ସେମାନଙ୍କ ସୀମାରେଖା ମଧ୍ୟରେ ଏହି କରିଡର ନିର୍ମାଣ କରିବେ ବୋଲି ଗତ ସପ୍ତାହରେ ଘୋଷଣା କରିଥିଲେ। ଏହି ଉତ୍ସବରେ ଯୋଗଦେବା ଲାଗି ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି ଭାରତୀୟ ପ୍ରତିପକ୍ଷ ସୁଷମା ସ୍ବରାଜଙ୍କୁ ଆମନ୍ତ୍ରଣ କରିଥିଲେ ମଧ୍ୟରେ ପ୍ରାକ୍ କାର୍ଯ୍ୟକ୍ରମ ଯୋଗୁ ସୁଷମା ଏଥିରେ ଯୋଗଦେଇ ପାରି ନଥିବା କ୍ୟୁରେସି କହିଥିଲେ। ଶିଖ ଧର୍ମଗୁରୁ ନାନକ ଦେବଙ୍କ ଶେଷ ଆଶ୍ରୟସ୍ଥଳ କରତାରପୁରରୁ ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ଥିବା ଡେରା ବାବା ନାନକ ପୀଠକୁ ଏହି କରିଡର ସଂଯୋଗ କରିବ। ପ୍ରସ୍ତାବିତ ଏହି କରିଡର ନିର୍ମାଣ ହେଲେ ଭାରତର ଶିଖ ସମ୍ପ୍ରଦାୟର ବ୍ୟକ୍ତିମାନେ ପାକିସ୍ତାନର କରତାରପୁରକୁ ବିନା ଭିସାରେ ଯାତାୟତ କରିପାରିବେ। କେବଳ ସେମାନଙ୍କୁ କରତାରପୁର ଭ୍ରମଣ କରିବା ଲାଗି ଏକ ଅନୁମତିପତ୍ର ଆଣିବାକୁ ହେବ। ଏହି କରିଡରର ନିର୍ମାଣ କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା ରଖାଯାଇଛି। ପ୍ରାୟ ୨୦ ବର୍ଷ ପୂର୍ବେ ଭାରତ ପକ୍ଷରୁ ଏଭଳି କରିଡର ନିର୍ମାଣର ପ୍ରସ୍ତାବ ପାକିସ୍ତାନକୁ ଦିଆଯାଇଥିଲା। ରବି ନଦୀ କୂଳରେ କରତାରପୁର ସାହିବ ଅବସ୍ଥିତ। ଗୁରୁଦାସପୁର ଜିଲ୍ଲାରେ ଥିବା ଡେରା ବାବା ନାନକ ସ୍ଥଳୀ ନିକଟରୁ ଏହା ମାତ୍ର ୪ କିମି ଦୂର। ୧୫୨୨ ମସିହାରେ ନାନକ ଏହି ପୀଠର ସ୍ଥାପନ କରିବା ସହିତ ଦୀର୍ଘ ୧୮ ବର୍ଷ କାଳ ଏଠାରେ ବାସ କରିଥିଲେ। ଏଠାରେ ମଧ୍ୟ ନାନକଙ୍କ ମୃତ୍ୟୁ ହୋଇଥିବା ବିଶ୍ବାସ କରାଯାଏ।

ସିଦ୍ଧୁଙ୍କୁ ବିରୋଧୀଙ୍କ ସମାଲୋଚନା
ଅମୃତସର : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କୁ କରତାରପୁର କରିଡର ଶିଳାନ୍ୟାସ ଉତ୍ସବରେ ଯୋଗ ‌ଦେବା ପ୍ରସଙ୍ଗ‌େର ପୁର୍ନବିଚାର ପାଇଁ କହିଥି‌େଲ ସୁଦ୍ଧା ସିଦ୍ଧୁ ଅମରିନ୍ଦରଙ୍କ କଥା‌ ଅମାନ୍ୟ କରି ପାକିସ୍ତାନ ଯାଇଛନ୍ତି। ଏନେଇ ଆଜି ବିରୋଧୀ ଦଳ ଗୁଡ଼ିକ ସିଦ୍ଧୁଙ୍କୁ ଘେରିଛନ୍ତି। ଶିରୋମଣି ଅକାଳି ଦଳ ଏବଂ ବିଜେପି ଆଜି ସିଦ୍ଧୁଙ୍କର ଏଭଳି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରି କହିଛନ୍ତି ‌େଯ ସିଦ୍ଧୁ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଅମାନ୍ୟ କରିଥିବାରୁ ତାଙ୍କର କ୍ୟାବିନେଟ୍‌ରେ ରହିବାର ଅଧିକାର ନାହିଁ।

ସମ୍ବନ୍ଧିତ ଖବର