କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ, ପଟିଆଲା କେନ୍ଦ୍ରୀୟ ଜେଲ୍‌କୁ ପଠାଗଲା

ନୂଆଦିଲ୍ଲୀ/ଚଣ୍ଡୀଗଡ଼ : ୩୪ ବର୍ଷ ତଳର ରୋଡ୍ ରେଜ୍‌ ମାମଲାରେ ସୁପ୍ରିମ କୋର୍ଟ ଗତକାଲି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ତଥା କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ୧ ବର୍ଷ ଦଣ୍ଡାଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟର ପରଦିନ ସିଦ୍ଧୁ ଆଜି ପଞ୍ଜାବର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ ପରେ ପଟିଆଲା କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଯାଇଛି। ଏହି ଜେଲ୍‌ରେ ସିଦ୍ଧୁଙ୍କ ଘୋର ବିରୋଧୀ ବିକ୍ରମ ମାଜିଥିଆ ମଧ୍ୟ ବନ୍ଦୀ ଅଛନ୍ତି। ସିଦ୍ଧୁ ଆତ୍ମସମର୍ପଣ ପୂର୍ବରୁ ଆଜି ସୁପ୍ରିମ୍‌ କୋର୍ଟରେ ଆବେଦନ କରି ଏଥିପାଇଁ ଅଧିକ ସମୟ ଲୋଡ଼ିଥିଲେ । ତେବେ କୋର୍ଟ ସିଦ୍ଧୁଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ୧୯୮୮ ମସିହାରେ ଘଟିଥିବା ଏହି ଘଟଣାରେ ପଟିଆଲା ନିବାସୀ ଗୁରନାମ ସିଂହଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ଏହି ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ। କିନ୍ତୁ ୨୦୧୮ ମେ ୧୫ ତାରିଖରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ କେବଳ ୧୦୦୦ ଟଙ୍କାର ଜରିମାନା ଲଗାଇଥିଲେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ମୃତକଙ୍କ ପରିବାର ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା। ୨୦୧୮ ସେପ୍ଟେମ୍ବରରେ ସୁପ୍ରିମ କୋର୍ଟ ଏହାର ଶୁଣାଣି ପାଇଁ ରାଜି ମଧ୍ୟ ହୋଇଥିଲେ। ଆବେଦନକାରୀ ସିଦ୍ଧୁଙ୍କୁ ଅଧିକ ଦଣ୍ଡ ପାଇଁ ଆବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ, ୧୯୮୮ ମସିହା ଡିସେମ୍ବର ମାସରେ ସିଦ୍ଧୁ ଏବଂ ରୁପିନ୍ଦର ସିଂହ ସାନ୍ଧୁ ମିଶି ପଟିଆଲାର ସେରାନୱାଲ ଗେଟ୍ କ୍ରସିଂ ପାଖ ରାସ୍ତା ମଝିରେ ସେମାନଙ୍କ ଜିପ୍‌ ରଖିଥିଲେ। ଏହାକୁ ନେଇ ଗୁରନାମ ସିଂହଙ୍କ ସହ ତାଙ୍କର ବଚସା ହୋଇଥିଲା ଏବଂ ସିଦ୍ଧୁ ତାଙ୍କୁ ପିଟିଥିଲେ। ଏଥିସହିତ ତାଙ୍କ କାର ଚାବି ମଧ୍ୟ ନେଇଯାଇଥିଲେ। ଫଳରେ ଗୁରନାମ ଚିକିତ୍ସା ସୁବିଧା ମଧ୍ୟ ପାଇ ନପାରି ମୃତ୍ୟୁବରଣ କରିଥିଲେ।

ସମ୍ବନ୍ଧିତ ଖବର