ତୁଟୁନି ପଂ‌ଜାବ କଂଗ୍ରେସ କନ୍ଦଳ: ନିଜ ସରକାରକୁ ଟାର୍ଗେଟ୍‌ କଲେ ସିଦ୍ଧୁ

ଭୋଟ୍‌ ପାଇଁ ଲଲିପପ୍‌ ଦେଉଛନ୍ତି

ଚଣ୍ଡିଗଡ଼: ପଂଜାବ କଂଗ୍ରେସ କନ୍ଦଳ ତୁଟୁନି। ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଆଜି ସିଧାସଳଖ ଭାବେ ତାଙ୍କ ସରକାରକୁ ଟାର୍ଗେଟ୍‌ କରିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ନାମ ନେଇନଥିଲେ ମଧ୍ୟ ନବଜୋତ ତାଙ୍କ ଉପରେ ବର୍ଷିଛନ୍ତି। ସିଦ୍ଧୁ କହିଛନ୍ତି, ଭୋଟ୍‌ ପୂର୍ବରୁ ରାଜନେତାମାନେ ଲଲିପପ୍ ଦେଉଛନ୍ତି। ତେବେ ସିଦ୍ଧୁ ଭୋଟରମାନଙ୍କୁ କେବଳ ପଂଜାବର କଲ୍ୟାଣ ଏଜେଣ୍ଡାରେ ଭୋଟ ଦେବାପାଇଁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇବାପରେ ଏବଂ ଘରୋଇ ‌କ୍ଷେତ୍ରରେ ବିଦ୍ୟୁତ ଦର ୟୁନିଟ୍‌ ପିଛା ୩ ଟଙ୍କା କମାଇବା ପାଇଁ କହିବା ପରେ ସିଦ୍ଧୁ ଏଭଳି ଟିପ୍ପଣୀ ଦେଇଛନ୍ତି। ହିନ୍ଦୁ ମହାସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ସିଦ୍ଧୁ କହିଛନ୍ତି ସେମାନେ (ରାଜନେତା) ଲଲିପପ୍‌ ଦେଉଛନ୍ତି। ଏହା ମାଗଣା , ତାହା ମାଗଣା। ଗତ ୨ ମାସ ହେବ ଖାଲି ପ୍ରତିଶ୍ରୁତି ଦିଆଯାଉଛି। ତେବେ ସିଦ୍ଧୁ ଲୋକମାନଙ୍କୁ ପ୍ରଶ୍ନ କରିବାପାଇଁ କହିଛନ୍ତି। ସିଦ୍ଧୁ କହିଛନ୍ତି, ପ୍ରତିଶ୍ରୁତି ଦେଉଥିବା ରାଜନେତାମାନେ ଏହି ପ୍ରତିଶ୍ରୁତିକୁ ପୂରଣ କରିବେ କେମିତି। ପଂଜାବ ଉପରେ ୫ ଲକ୍ଷ କୋଟି ଟଙ୍କାର ଋଣଭାର ଅଛି। ଗତ ୨୫-୩୦ ବର୍ଷ ଧରି ରାଜ୍ୟକୁ ଶାସନ କରି ଆସିଥିବା ସରକାରକୁ ସେ ଏଥିପାଇଁ ଦାୟୀ କରିଛନ୍ତି।

ଅନ୍ୟପକ୍ଷେ ପଂଜାବ ମୁଖ୍ୟମନ୍ତ୍ରୀ ଚନ୍ନି ରାଜ୍ୟ ଆଡଭୋକେଟ୍ ଜେନେରାଲ୍‌ ଭାବେ ଏପିଏସ୍‌ ଦେଓଲଙ୍କ ଇସ୍ତଫାପତ୍ର ଗ୍ରହଣ କରିନାହାନ୍ତି। ଦେଓଲଙ୍କ ନିଯୁକ୍ତିକୁ ସିଦ୍ଧୁ ବିରୋଧ କରି ଆସିଛନ୍ତି। ଲଗାତାର ଆକ୍ରମଣର ଶିକାର ହେବାପରେ ସେ ଗତକାଲି ଇସ୍ତଫା ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫାକୁ ଏହାକୁ ଗ୍ରହଣ କରିନାହାନ୍ତି।

ସମ୍ବନ୍ଧିତ ଖବର