କଂଗ୍ରେସ ନେତା ନବ‌ଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌

ନୂଆଦିଲ୍ଲୀ : କଂଗ୍ରେସ ନେତା ନବ‌ଜୋତ ସିଂହ ସିଦ୍ଧୁଙ୍କୁ ଆଜି ବଡ଼ ଝଟ୍‌କା ଲାଗିଛି। ୩ ଦଶନ୍ଧି ପୁରୁଣା ରୋଡ୍‌ ‌ରେଜ୍‌ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଦିନ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ୧୯୮୮ ଡିସେମ୍ବର ୨୭ରେ ସିଦ୍ଧୁ ଏବଂ ତାଙ୍କର ଜଣେ ସହଯୋଗୀ ରୁପିନ୍ଦର ସିଂହ ସନ୍ଧୁଙ୍କର ଗୁର୍‌ନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ଗାଡ଼ି ପାର୍କିଂକୁ ନେଇ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ଏବଂ ତାଙ୍କ ସହଯୋଗୀ ୬୫ ବର୍ଷୀୟ ଗୁର୍‌ନାମ ସିଂହଙ୍କୁ ଚାପୁଡ଼ା ଓ ଧକ୍କା ମାରିଥିଲେ। ଗୁରନାମ ସିଂହଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ସିଦ୍ଧୁଙ୍କୁ ୧ ବର୍ଷ ସଶ୍ରମ ବର୍ଷ ଜେଲ୍‌ଦଣ୍ଡ ଦେଇଛନ୍ତି। କ୍ରୋଧରେ ସିଦ୍ଧୁ ସେତେବେଳେ ତାଙ୍କଠାରୁ ଦୁଇ ଗୁଣରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ଏବଂ ଏହାର ପରିଣାମ ତାଙ୍କୁ ଭୋଗିବାକୁ ହେବ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ରାୟ ପରେ ସିଦ୍ଧୁ ଏକ ଟ୍ବିଟ୍‌ କରି କହିଛନ୍ତି ‘ଆଇନର ମହାନତା ଆଗରେ ମୁଁ ନତମସ୍ତକ।’

ଉଲ୍ଲେଖଯୋଗ୍ୟ, ଏହି ମାମଲାଟି ସେସନ୍ସ କୋର୍ଟ, ହାଇକୋର୍ଟ ଏବଂ ପରିଶେଷରେ ସୁପ୍ରିମକୋର୍ଟ ପହଞ୍ଚିଥିଲା। ୧୯୯୯ ସେପ୍ଟେମ୍ବର ୨୨ରେ ପଟିଆଲା ସେସନ୍ସ କୋର୍ଟର ବିଚାରପତି ସିଦ୍ଧୁ ଏବଂ ତାଙ୍କ ସହଯୋଗୀଙ୍କୁ ଏହି ମାମଲାରେ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ। କିନ୍ତୁ ମୃତକଙ୍କ ପରିବାର ସଦସ୍ୟ ସେସନ୍ସ କୋର୍ଟ ରାୟକୁ ପଂଜାବ ଏବଂ ହରିୟାଣା ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୨୦୦୬ରେ ସିଦ୍ଧୁଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଏବଂ ୧ ଲକ୍ଷ ଟଙ୍କା ଜରିମାନା କରିଥିଲେ। କିନ୍ତୁ ସିଦ୍ଧୁ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ୨୦୧୮ରେ ସିଦ୍ଧୁଙ୍କ ଦଣ୍ଡାଦେଶ କମାଇଥିଲେ। ସ୍ବେଚ୍ଛାକୃତ ଭାବେ ଆଘାତ ଦେଇଥିବାରୁ କୋର୍ଟ ସିଦ୍ଧୁଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ଏବଂ ହତ୍ୟା (କଲ୍‌ପେବଲ୍‌ ହୋମିସାଇଡ୍‌) ଭଳି ମାମଲାରୁ ତାଙ୍କୁ ଦୋଷମୁକ୍ତ କରିଥିଲେ।

କୋର୍ଟ ସିଦ୍ଧୁଙ୍କୁ କେବଳ ୧ ହଜାର ଟଙ୍କା ଜରିମାନା କରିଥିଲେ। ସିଦ୍ଧୁଙ୍କ ସହଯୋଗୀ ରୁପିନ୍ଦର ସିଂହ ସନ୍ଧୁଙ୍କୁ ମଧ୍ୟ କୋର୍ଟ ଦୋଷମୁକ୍ତ କରିଥିଲେ। କିନ୍ତୁ ମୃତ ଗୁର୍‌ନାମ ସିଂହଙ୍କ ପୁଅ କୋର୍ଟ ରାୟର ପୁନଃସମୀକ୍ଷା ପାଇଁ ଆବେଦନ କରିବାପରେ ଏହି ମାମଲାର ଶୁଣାଣି ପୁଣିଥରେ ଆରମ୍ଭ ହୋଇଥିଲା। ହତ୍ୟା ମାମଲାର ଶୁଣାଣି ପୁଣିଥରେ ଆରମ୍ଭ ହେବାରୁ ସିଦ୍ଧୁ କହିଥିଲେ, କେବଳ ଗୋଟିଏ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ। କୋର୍ଟ ଗତମାସରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାରେ ଜଷ୍ଟିସ ଏଏମ୍‌ ଖାନୱିଲକର ଏବଂ ଏସ୍‌କେ କୌଲ୍‌ଙ୍କ ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି ଏବଂ ସିଦ୍ଧୁଙ୍କୁ ୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

୧୯୮୮ ରୋଡ୍‌ ରେଜ୍‌ ମାମଲା କ’ଣ ?
୧୯୮୮ ଡିସେମ୍ବର ୨୭ ତାରିଖରେ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂହ ସନ୍ଧୁ ପଟିଆଲାର ସେରନୱାଲା ଗେଟ୍‌ କ୍ରସିଂ ନିକଟସ୍ଥ ଏକ ରାସ୍ତା ମଝିରେ ସେମାନଙ୍କ ମାରୁତି ଜିପ୍ସି ପାର୍କ୍‌ କରିଥି‌ଲେ। ୬୫ ବର୍ଷୀୟ ଗୁର୍‌ନାମ ସିଂହ ତାଙ୍କ କାର୍‌ରେ ସେଠାରେ ପହଞ୍ଚିବା ପରେ ସିଦ୍ଧୁ ଏବଂ ତାଙ୍କ ସାଙ୍ଗଙ୍କୁ ସେଠାରୁ ଗାଡ଼ି ସାଇଡ୍‌ କରିବାପାଇଁ କହିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ସିଦ୍ଧୁ ଗୁର୍‌ନାମଙ୍କୁ ମାଡ଼ ମାରିଥିଲେ ଏବଂ ସ୍ଥାନ ଛାଡ଼ିବା ପୂର୍ବରୁ ସେ ତାଙ୍କ କାର୍‌ ଚାବି ନେଇଯାଇଥିଲେ। ଗୁର୍‌ନାମ ମେଡିକାଲ୍‌ ସହାୟତା ଯେଭଳି ପାଇପାରିବେନି ସେଥିପାଇଁ ସେ ଚାବି ନେଇଯାଇଥିଲେ ବୋଲି ଏତଲାରେ ଦର୍ଶାଯାଇଥିଲା। ପରେ ଗୁର୍‌ନାମଙ୍କ ବନ୍ଧୁମାନେ ତାଙ୍କୁ ରିକ୍ସାରେ ସ୍ଥାନୀୟ ରାଜିନ୍ଦର୍‌ ହସ୍ପିଟାଲ୍‌ ନେଇଥିଲେ। କିନ୍ତୁ ଗୁର୍‌ନାମଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା। ଏନେଇ ସିଦ୍ଧୁ ଏବଂ ସନ୍ଧୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର