ଖଲିସ୍ତାନୀ ନେତାଙ୍କ ସହ ଫଟୋ ଉଠାଇ ପୁଣି ବିବାଦରେ ସିଦ୍ଧୁ; ବିରୋଧୀ ଇସ୍ତଫା ଦାବି କଲେ

ନୂଆଦିଲ୍ଲୀ: ପୁଣି ଏକ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି କ୍ରିକେଟରରୁ ନେତା ବନିଥିବା କଂଗ୍ରେସ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ। ଶିଖମାନଙ୍କ ଲାଗି ସ୍ୱତନ୍ତ୍ର ଖଲିସ୍ତାନ ରାଷ୍ଟ୍ର ଦାବି କରୁଥିବା ନେତା ଗୋପାଲ୍‌ ସିଂ ଚାଓ୍ଵଲା ସିଦ୍ଧୁଙ୍କ ସହ ତାଙ୍କର ଏକ ଫଟୋ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ‘ଉଇଥ୍‌ ସେଦୁ ପା ଜୀ’ ଅର୍ଥାତ୍‌ ‘ସିଦ୍ଧୁ ଭାଇଙ୍କ ସହ’ ବୋଲି ଲେଖିଛନ୍ତି। ଗତକାଲି କର୍ତ୍ତାରପୁର କରିଡର ଶିଳାନ୍ୟାସ ଉତ୍ସବରେ ଯୋଗଦାନ ସମୟରେ ସିଦ୍ଧୁଙ୍କ ସହ ଚାଓ୍ଵଲା ଏହି ଫଟୋ ଉଠାଇଛନ୍ତି।

ଗୁରୁବାର ସକାଳୁ ଏହି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାକୁ ଲାଗିଛି। ଅନେକ ସିଦ୍ଧୁଙ୍କୁ ଜଣେ ଆତଙ୍କବାଦୀ ସହ ଫଟୋ ଉଠାଇଥିବା ଲେଖି ସମାଲୋଚନା କରିଛନ୍ତି। ଗତ ସପ୍ତାହରେ ଅମ୍ରିତସରର ନିରଙ୍କରୀ ଭବନରେ ହୋଇଥିବା ଗ୍ରେନେଡ୍‌ ଆକ୍ରମଣ ପଛରେ ଚାଓ୍ଵଲାଙ୍କ ହାତ ଥିବା ସନ୍ଦେହ କରାଯାଇଛି। ବର୍ତ୍ତମାନ୍‌ ଗୋପାଲ୍‌ ସିଂ ଚାଓ୍ଵାଲା ପାକିସ୍ତାନ୍‌ ଶିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ମହାସଚିବ ଅଛନ୍ତି। କର୍ତ୍ତାରପୁର କରିଡର ଶିଳାନ୍ୟାସ ସମାରୋହରେ ପାକ୍‌ ସେନା ମୁଖ୍ୟ କମର ଜାଭେଦ୍‌ ବଜଓ୍ଵା ଚାଓ୍ଵଲାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଚାଓ୍ଵଲା ଲାହୋରଠାରେ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଗୁରୁଦ୍ୱାରକୁ ପ୍ରବେଶ କରିବାକୁ ନ ଦେଇ ବିବାଦ ଘେରକୁ ଆସିଥିଲେ।

ଗୋପାଲ ସିଂ ଚାଓ୍ଵଲାଙ୍କ ସହ ସିଦ୍ଧୁ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସିଦ୍ଧୁଙ୍କୁ ସମାଲୋଚନା ଶରବ୍ୟ ହେବାକୁ ପଡ଼ିଛି।
ଏହି ଫଟୋ ଭାଇରାଲ୍‌ ହେବା ପରେ ପଞ୍ଜାବରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀୟ ଜନତା ପାର୍ଟିର ପଞ୍ଜାବ ଶାଖା ପକ୍ଷରୁ ସିଦ୍ଧୁଙ୍କ ଇସ୍ତଫା ଦାବି କରାଯାଇଛି।

ସମ୍ବନ୍ଧିତ ଖବର