ପ୍ରଚାର ମଇଦାନରେ ସିଦ୍ଧୁଙ୍କ ଝିଅ: ଚନ୍ନିଙ୍କୁ ଟାର୍ଗେଟ୍‌, ଆକାଉଣ୍ଟ୍‌ ଯାଞ୍ଚ କଲେ ୧୩୩ କୋଟି ମିଳିବ

ପାପା ନ ଜିତିବା ପର୍ଯ୍ୟନ୍ତ ବାହା ହେବିନି

ଅମୃତସର : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଝିଅ ରାବିୟା ସିଦ୍ଧୁ ଏବେ ପିତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ରାବିୟା ଗତକାଲି ଅମୃତସରରେ ପ୍ରଚାର କାର୍ଯ୍ୟରେ ଥିବାବେଳେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ପଂଜାବରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାବିୟା କହିଛନ୍ତି, ଚନ୍ନି ନିଜକୁ ଗରିବ ବୋଲି ଦାବି କରୁଛନ୍ତି। କିନ୍ତୁ ବାସ୍ତବରେ ସେ କ’ଣ ଗରିବ। ତାଙ୍କ ଆକାଉଣ୍ଟ୍‌ ଚେକ୍‌ କଲେ ୧୩୩ କୋଟିରୁ ଅଧିକ ଟଙ୍କା ମିଳିବ ବୋଲି ରାବିୟା ଦାବି କରିଛନ୍ତି।

ବାପାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାନଯିବାରୁ ରାବିୟା ଖୁବ୍‌ ଅସନ୍ତୁଷ୍ଟ ଅଛନ୍ତି। ରାବିୟା କହିଛନ୍ତି, ଜଣେ ସଚ୍ଚୋଟ ବ୍ୟକ୍ତିଙ୍କୁ ବେଶୀଦିନ ପର୍ଯ୍ୟନ୍ତ ଅଟକାଇ ପାରିବନି। ସିଦ୍ଧୁ ଦୀର୍ଘ ୧୪ ବର୍ଷ ଧରି ପଂଜାବ ପାଇଁ କାମ କରିଛନ୍ତି। ରାଜ୍ୟପାଇଁ ସେ ଏକ ନୂଆ ମଡେଲ୍‌ ସୃଷ୍ଟି କରିଛନ୍ତି। ତେଣୁ ତାଙ୍କୁ ସମ୍ମାନ ଦେବା ଉଚିତ୍‌। ରାବିୟା କହିଛନ୍ତି, ତାଙ୍କ ବାପା ଏବଂ ଅନ୍ୟ ନେତାଙ୍କ ମଧ୍ୟରେ କୌଣସି ତୁଳନା କରିବାର ପ୍ରଶ୍ନ ଉଠୁନାହିଁ। ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନେ ତାଙ୍କୁ ହଟାଇବାକୁ ଚାହୁଛନ୍ତି। କିନ୍ତୁ ପଂଜାବ ଆଜି ଯେଉଁ ସ୍ଥିତି ଦେଇ ଗତି କରୁଛନ୍ତି ସେଥିପାଇଁ ସେ ଦୁଃଖିତ। ରାବିୟା କହିଛନ୍ତି, ପାପା ନଜିତିବା ପର୍ଯ୍ୟନ୍ତ ସେ ବିବାହ କରିବେନି। ଅମୃତସରରେ ସିଦ୍ଧୁଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବା ଅକାଳି ନେତା ବିକ୍ରମ ସିଂହ ମାଜିଥିଆଙ୍କ ବିରୋଧରେ ମଧ୍ୟ ରାବିୟା ବର୍ଷିଛନ୍ତି।

ସମ୍ବନ୍ଧିତ ଖବର