କଂଗ୍ରେସକୁ ସିଦ୍ଧୁଙ୍କ ଝଟ୍‌କା: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ

ନିର୍ବାଚନ ଆଗରୁ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ/ଅମୃତସର: ଯୁବ ନେତା କହ୍ନେୟା କୁମାର କଂଗ୍ରେସରେ ଆଜି ଯୋଗଦାନ କରିବା ପ‌େର ସଂଗଠନରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଦଳକୁ ବଡ଼ ଧରଣର ଝଟକା ଦେଇଛନ୍ତି। ପିସିସି ସଭାପତି ପଦରୁ ଆଜି ଅଚାନକ ଇସ୍ତଫା ଘୋଷଣା କରି ସେ ରାଜ୍ୟ କଂଗ୍ରେସକୁ ବିପଦ ମୁହଁକୁ ଠେଲିଦେଇଛନ୍ତି। ତାଙ୍କୁ ସମର୍ଥନ ଜଣାଇ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଦୁଇ ଜଣ କାର୍ଯ୍ୟକର୍ତା ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଆଜିର ଏହି ଘଟଣା କ୍ଷମତାସୀନ କଂଗ୍ରେସକୁ ଅଡ଼ୁଆରେ ପକାଇ ଦେଇଛି। ନୂଆ ମନ୍ତ୍ରିମଣ୍ଡଳ, ବିଭାଗ ବଣ୍ଟନ ଏବଂ କେତେକ ଅଫିସରଙ୍କ ନିଯୁକ୍ତିରେ ଅସନ୍ତୋଷ ପ୍ରକାଶ କରି ସିଦ୍ଧୁ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ ଅମରିନ୍ଦର ସିଂହଙ୍କ ବିରୋଧ ସତ୍ତ୍ବେ ହାଇକମାଣ୍ଡ ସିଦ୍ଧୁଙ୍କୁ ପିସିସି ସଭ‌ାପତି ନିଯୁକ୍ତ କରିଥିଲେ। ଏହାକୁ ନେଇ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଥିବା ଅମରିନ୍ଦରଙ୍କ ମଧ୍ୟରେବଡ଼ ଧରଣର ବିବାଦ ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ସିଦ୍ଧୁଙ୍କ ପସନ୍ଦର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଏହାପରେ ଦଳୀୟ ସଂଗଠନ ଏବଂ ପ୍ରଶାସନକୁ ସଜାଡ଼ିବା ଲାଗି ଉଦ୍ୟମ ଚାଲିଥିବା ବେଳେ ସିଦ୍ଧୁ ହଠାତ୍ ଇସ୍ତଫା ଘୋଷଣା କରିଛନ୍ତି।

ସିଦ୍ଧୁ ଆଜି ଟ୍ବିଟରରେ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ଲେଖିଥିବା ଚିଠି ସେ ଟ୍ବିଟରରେ ପୋଷ୍ଟ୍‌ କରିଛନ୍ତି। ଉକ୍ତ ଚିଠିରେ ଲେଖିଛନ୍ତି – ‘ଜଣେ ବ୍ୟକ୍ତିର ଚରିତ୍ରର ପତନ ସାଲିସ କରିବାରୁ ହିଁ ଆରମ୍ଭ ହୋଇଥାଏ। ପଞ୍ଜାବର ଭବିଷ୍ୟତ ଦିଗରେ ଏବଂ ଲୋକଙ୍କର କଲ୍ୟାଣ ପ୍ରସଙ୍ଗରେ ମୁଁ ସାଲିସ କରିପାରିବି ନାହଁ। ତେଣୁ ମୁଁ ପିସିସି ସଭାପତି ପଦରୁ ଇସ୍ତଫା ଦେଉଛି। କିନ୍ତୁ କଂଗ୍ରେସ ଦଳରେ ସେବା ଜାରି ରଖିବି।’

ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେବାନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ସିଦ୍ଧୁ ଆଜି କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇ ରାଜ୍ୟରେ ଦଳର ଅଡ଼ୁଆକୁ ବଢ଼ାଇ ଦେଇଛନ୍ତି। ସିଦ୍ଧୁଙ୍କୁ ସମର୍ଥନ କରି ରାଜ୍ୟ ମନ୍ତ୍ରୀ ରଜିଆ ସୁଲତାନା କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ସିଦ୍ଧୁଙ୍କ ଇସ୍ତଫା ପରେ ଗୁଲ୍‌ଜର ଇନ୍ଦର ଚହଲ ମଧ୍ୟ ପଂଜାବ କଂଗ୍ରେସ କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେହିଭଳି ଯୋଗୀନ୍ଦ୍ର ଢିଙ୍ଗରା ମଧ୍ୟ ପଂଜାବ କଂଗ୍ରେସ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଦ୍ବାରା କ୍ୟାବିନେଟରେ ହୋଇଥିବା ପରିବର୍ତ୍ତନକୁ ସିଦ୍ଧୁ ଗ୍ରହଣ କରିନାହାନ୍ତି। କିଛି ନିଷ୍ପତ୍ତିରେ ତାଙ୍କୁ ଗୁରୁତ୍ବ ଦିଆଯାଇନି। ଦୁର୍ନୀତି ମାମଲା ଥିବା ନେତାମାନଙ୍କୁ ପ୍ରମୁଖ ପଦବି ମିଳିବାରେ ବି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସବୁ ତାଙ୍କ ଇସ୍ତଫାର କାରଣ ହୋଇଥାଇପାରେ। ରାଜ୍ୟ ପୋଲିସ ଡିଜି ଏବଂ ଆଡଭୋକେଟ ଜେନେରାଲଙ୍କ ନିଯୁକ୍ତି ବେଳେ ତାଙ୍କ ସହିତ ବିଚାରବିମର୍ଶ କରାଯାଇ ନଥିବାରୁ ସିଦ୍ଧୁ କ୍ଷୁବ୍ଧ ଥିବା କୁହାଯାଉଛି। ତେବେ ତାଙ୍କର ଇସ୍ତଫାକୁ ଗ୍ରହଣ କରାଯାଇନାହିଁ। ତାଙ୍କ ସହିତ କଥାବାର୍ତା ଚାଲିଥିବା କଂଗ୍ରେସ ସୂତ୍ରରୁ ପ୍ରକାଶ। ସିଦ୍ଧୁ ପିସିସି ପଦରୁ ଇସ୍ତଫା ଦେବାପରେ ତାଙ୍କର ମୁଖ୍ୟ ସମାଲୋଚକ ଅମରିନ୍ଦର ସିଂହ ତୁରନ୍ତ କଟାକ୍ଷ କରିଛନ୍ତି। ଅମରିନ୍ଦର କହିଛନ୍ତି, ସିଦ୍ଧୁ ସ୍ଥିର ନୁହନ୍ତି ଏବଂ ସେ ଜଣେ ଅସ୍ଥିର ମାନସିକତାର ବ୍ୟକ୍ତି ବୋଲି ସମେସ୍ତ ଜାଣନ୍ତି। ଏକଥା ମୁଁ ଆଗରୁ କହିଥିଲି। ପଂଜାବ ପରି ସୀମାବର୍ତ୍ତୀ ରାଜ୍ୟ ପାଇଁ ସିଦ୍ଧୁ ଆଦୌ ଠିକ୍‌ ନୁହନ୍ତି ବୋଲି ଅମରିନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର