ଏପ୍ରିଲ ୧ରେ ଜେଲରୁ ମୁକୁଳିବେ ନବଜ୍ୟୋତ ସିଂ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଶନିବାର ପଟିଆଲା ଜେଲରୁ ମୁକୁଳିବେ । ଏ ସଂପର୍କରେ ସିଦ୍ଧୁଙ୍କ ଅଫିସିଆଲ ଟ୍ବିଟର ହାଣ୍ଡଲରୁ ଏକ ଟ୍ବିଟ କରି ସୂଚନା ଦିଆଯାଇଛି । ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ଏହି ଟ୍ବିଟ୍ କରାଯାଇଛି ।

ସିଦ୍ଧୁଙ୍କ ଓକିଲ ଏଚ୍ ପିଏସ୍ ବର୍ମା କହିଛନ୍ତି ଯେ ପଞ୍ଜାବ ଜେଲ୍ ମାନୁଆଲ୍ ଅନୁଯାୟୀ ଭଲ ଆଚରଣ କରୁଥିବା ବନ୍ଦୀର ଜେଲଦଣ୍ଡ କୋହଳ କରାଯାଇପାରିବ । ଏହି ଆଧାରରେ ଶନିବାର ଦିନ ସିଦ୍ଧୁ ପଟିଆଲା ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ରାଜ୍ୟ ନିର୍ବାଚନରେ ଦଳର ପରାଜୟ ପରେ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

୧୯୮୮ ଡିସେମ୍ବର ୨୭ତାରିଖରେ ପଟିଆଲା ବାସିନ୍ଦା ଗୁରନାମ ସିଂହଙ୍କ ସହ ପାର୍କିଂକୁ ନେଇ ସିଦ୍ଧୁଙ୍କ ବିବାଦ ହୋଇଥିଲା। ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ସାନ୍ଧୁ ଗୁରନାମ ସିଂଙ୍କୁ ତାଙ୍କ କାର୍ ରୁ ଟାଣି ଆଣି ତାଙ୍କୁ ଧକ୍କା ଦେଇଥିଲେ, ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ପରେ ହସ୍ପିଟାଲରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରନାମ ସିଂହଙ୍କ ମୁଣ୍ଡରେ ମାଡ଼ ମାରି ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ ।

ଏହା ପୂର୍ବରୁ ୨୦୧୮ ମସିହାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ । କିନ୍ତୁ ମାମଲାର ପୁନର୍ବିଚାର ପାଇଁ ପୀଡ଼ିତ ବ୍ୟକ୍ତିର ପରିବାର ନିବେଦନ କରିଥିଲେ ।

 

ସମ୍ବନ୍ଧିତ ଖବର