ମହିଳାଙ୍କ ଶରୀରର ଉପରଭାଗର ଉଲଗ୍ନ ଦୃଶ୍ୟ ଯୌନତା ନୁହେଁ : କେରଳ ହାଇକୋର୍ଟ

କୋଚି: ମହିଳାଙ୍କ ନଗ୍ନ ଶରୀରର ଚିତ୍ରଣକୁ ସର୍ବଦା ଯୌନତା କିମ୍ବା ଅଶ୍ଳୀଳ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଏଥିସହ ଜଣେ ମହିଳାଙ୍କୁ ତାଙ୍କ ଅର୍ଦ୍ଧନଗ୍ନ ଶରୀର ଉପରେ ତାଙ୍କ ପିଲାମାନେ ଚିତ୍ରକଳା ଆଙ୍କୁଥିବାର ଭିଡିଓ ପ୍ରସ୍ତୁତ କରିବା ଅଭିଯୋଗରେ ଆଗତ ଏକ ଅପରାଧିକ ମାମଲାରୁ ମୁକ୍ତ କରିଛନ୍ତି। ନାରୀ ଶରୀର ବିଷୟରେ ପୁରୁଷତାନ୍ତ୍ରିକ ଧାରଣା ଏବଂ ତାଙ୍କ ପିଲାମାନଙ୍କର ଯୌନଶିକ୍ଷାକୁ ଚ୍ୟାଲେଞ୍ଜ କରିବା ପାଇଁ ସେ ଏହି ଭିଡିଓ ତିଆରି କରିଛନ୍ତି ବୋଲି ମା’ଙ୍କ ସ୍ପଷ୍ଟୀକରଣକୁ ମଧ୍ୟ କୋର୍ଟ ଗ୍ରହଣ କରି ଏହି ଭିଡିଓକୁ ଅଶ୍ଳୀଳ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।

ଅଦାଲତ କହିଛନ୍ତି, ‘ମହିଳାଙ୍କ ନଗ୍ନ ଶରୀରର କେବଳ ଉପର ଭାଗ ଦେଖାଯିବାକୁ ଯୌନତା ବୋଲି ବିବେଚନା କରାଯିବା ଉଚିତ ନୁହେଁ। ତେଣୁ ମହିଳାଙ୍କ ଶରୀରର ଉପରଭାଗ ଉଲଗ୍ନ ଚିତ୍ରଣକୁ ଅଶ୍ଳୀଳ କିମ୍ବା ଯୌନତା ବୋଲି କୁହାଯାଇପାରିବ ନାହିଁ। ଏହା କେବଳ ଉଦ୍ଦେଶ୍ୟ ପରିପ୍ରେକ୍ଷୀରେ ହିଁ ନିର୍ଦ୍ଧାରଣ କରାଯାଇ ପାରିବ’।

ଜଷ୍ଟିସ କୌଶର ଏଡାପ୍ପାଗଥ କହିଛନ୍ତି, ‘ପୁରୁଷ ଶରୀରର ଖୋଲା ପ୍ରଦର୍ଶନ ବା ସ୍ୱୟଂଶାସିତତା ଉପରେ ଖୁବ୍‌ କମ୍‌ ପ୍ରଶ୍ନ ଉଠୁଥିବା ବେଳେ ପୁରୁଷତାନ୍ତ୍ରିକ ଢାଞ୍ଚାରେ ମହିଳାମାନଙ୍କୁ କିନ୍ତୁ ଏ କ୍ଷେତ୍ରରେ ନିର୍ଯାତନା ଦିଆଯାଏ, ଭେଦଭାବ କରାଯାଏ, ଅଲଗା ଦୃଷ୍ଟିରେ ଦେଖାଯାଏ। ଏ କ୍ଷେତ୍ରରେ ପୁରୁଷତାନ୍ତ୍ରିକ ସମାଜ ସେମାନଙ୍କୁ ଅନେକ ପ୍ରଶ୍ନ କରିଥାଏ!’

ଅଦାଲତଙ୍କ ଏହି ରାୟରେ ପୁରୁଷ ଓ ନାରୀ ଶରୀରକୁ ନେଇ ସମାଜର ଦୋ-ମୁହାଁ ମାନଦଣ୍ଡ ବିଷୟରେ ମଧ୍ୟ ମନ୍ତବ୍ୟ ଦିଆଯାଇଛି। ଅଦାଲତ କହିଛନ୍ତି ଯେ ଯଦି ଜଣେ ମା’ ନିଜ ପିଲାମାନଙ୍କୁ ନିଜ ଶରୀରକୁ କ୍ୟାନଭାସ୍‌ ଭାବରେ ରଙ୍ଗ କରିବା ପାଇଁ ବ୍ୟବହାର କରିବାକୁ ଅନୁମତି ଦିଅନ୍ତି ତେବେ କିଛି ଭୁଲ ନାହିଁ; ଏହା ଦ୍ୱାରା ସେମାନେ ନଗ୍ନ ଶରୀରକୁ ସ୍ୱାଭାବିକ ଭାବରେ ଦେଖିପାରିବେ।

‘ଜଣେ ମା’ଙ୍କ ଉପର ଶରୀରରେ ଏକ କଳା ପ୍ରକଳ୍ପ ଭାବରେ ନିଜ ପିଲାମାନଙ୍କ ଦ୍ୱାରା କରାଯାଇଥିବା ଚିତ୍ରକଳାକୁ ଯୌନ ସନ୍ତୁଷ୍ଟି ଉଦ୍ଦେଶ୍ୟରେ କିମ୍ବା ଯୌନତା ଉଦ୍ଦେଶ୍ୟରେ କରାଯାଇଛି ବୋଲି ଦର୍ଶାଯାଇ ପାରିବ ନାହିଁ କିମ୍ବା ଏପରି କୁହାଯାଇ ପାରିବ ନାହିଁ। ଏହି ନିରୀହ କଳାତ୍ମକ ଅଭିବ୍ୟକ୍ତିକୁ ବାସ୍ତବ ବା ନକଲି ଯୌନ କ୍ରିୟାରେ ଶିଶୁର ବ୍ୟବହାର ବୋଲି କହିବା ମଧ୍ୟ କଠୋର ହେବ। କାରଣ, ପିଲାମାନଙ୍କୁ ପର୍ଣ୍ଣୋଗ୍ରାଫି ପାଇଁ ବ୍ୟବହାର କରାଯାଇଥିଲା ବୋଲି ଦର୍ଶାଇବାକୁ କିଛି ନାହିଁ। ଭିଡିଓରେ ଯୌନ ସମ୍ପର୍କର କୌଣସି ଚିହ୍ନ ନାହିଁ। ଏକ ବାର୍ତ୍ତାରେ ଆବେଦନକାରୀ ଭିଡିଓର ଉଦ୍ଦେଶ୍ୟ ମଧ୍ୟ ଘୋଷଣା କରିଛନ୍ତି।…’

ଅଦାଲତ ଆହୁରି ମଧ୍ୟ କହିଛନ୍ତି, ନଗ୍ନତାକୁ ଅଶ୍ଳୀଳ ବା ଅନୈତିକ ଶ୍ରେଣୀଭୁକ୍ତ କରିବା ଭୁଲ୍‌। ଏହା ଏପରି ଏକ ରାଜ୍ୟ ଯେଉଁଠାରେ କେତେକ ନିମ୍ନ ଜାତିର ମହିଳାମାନେ ଥରେ ନିଜ ସ୍ତନ ଢାଙ୍କିବାର ଅଧିକାର ପାଇଁ ଲଢ଼େଇ କରିଥିଲେ। ସମଗ୍ର ଦେଶରେ ଥିବା ପ୍ରାଚୀନ ମନ୍ଦିରଗୁଡ଼ିକରେ ଅର୍ଦ୍ଧନଗ୍ନ ଅବସ୍ଥାରେ ପ୍ରଦର୍ଶିତ ଦେବଦେବୀଙ୍କ ମୂର୍ତ୍ତି ଏବଂ କଳା ରହିଛି। ସାର୍ବଜନୀନ ସ୍ଥାନରେ ମୁକ୍ତ ଭାବରେ ଉପଲବ୍ଧ ଏଭଳି ନଗ୍ନ ମୂର୍ତ୍ତି ଏବଂ ଚିତ୍ରକଳାକୁ କଳା, ଏପରିକି ପବିତ୍ର ବୋଲି ବିବେଚନା କରାଯାଏ। ଯଦିଓ ସବୁ ଦେବୀଙ୍କ ମୂର୍ତ୍ତି ଖୋଲା ଛାତିରେ ଥାଏ, ତଥାପି ଯେତେବେଳେ ମନ୍ଦିରରେ ପୂଜା କରାଯାଏ, ସେତେବେଳେ ଅନୁଭବ ଯୌନତାର ନୁହେଁ ବରଂ ଦେବତ୍ୱର ହୋଇଥାଏ।

ପୁରୁଷ ଓ ମହିଳାଙ୍କ ନଗ୍ନତାକୁ ନେଇ ସମାଜରେ ପ୍ରଚଳିତ ଦୋ-ମୁହାଁ ମାନଦଣ୍ଡକୁ କୋର୍ଟ କଡ଼ା ସମାଲୋଚନା କରିଛନ୍ତି। କେରଳର ତ୍ରିଶୂରରେ ‘ପୁଲିକାଲି’ ପର୍ବରେ ପୁରୁଷଙ୍କ ଖୋଲା ଶରୀର ଉପରେ ‘ବଡି ପେଣ୍ଟିଂ’ ଏକ ସ୍ୱୀକୃତ ପରମ୍ପରା। ମନ୍ଦିରରେ ଥେୟାମ ଓ ଅନ୍ୟାନ୍ୟ ରୀତିନୀତି ସମ୍ପନ୍ନ ହେଲେ ପୁରୁଷ କଳାକାରଙ୍କ ଖୋଲା ଶରୀରରେ ଚିତ୍ରାଙ୍କନ କରାଯାଏ। ପୁରୁଷ ଶରୀରକୁ ସିକ୍ସ ପ୍ୟାକ୍‌ ଆବ୍‌ସ, ବାଇସେପ୍‌ ଇତ୍ୟାଦି ଆକାରରେ ପ୍ରଦର୍ଶିତ କରାଯାଏ। ପ୍ରାୟତଃ ପୁରୁଷମାନେ ସାର୍ଟ ନ ପିନ୍ଧି ବୁଲୁଥିବା ଦେଖିବାକୁ ମିଳେ। କିନ୍ତୁ ଏହି କାର୍ଯ୍ୟକୁ କେବେ ବି କେହି ଅଶ୍ଳୀଳ କିମ୍ବା ଯୌନତା ବୋଲି ବିବେଚନା କରନ୍ତି ନାହିଁ।

ଯେତେବେଳେ ଜଣେ ପୁରୁଷଙ୍କ ଅର୍ଦ୍ଧନଗ୍ନ ଶରୀରକୁ ସ୍ୱାଭାବିକ ଭାବରେ ଗ୍ରହଣ କରାଯାଉଛି, ସେତେବେଳେ ନାରୀ ଶରୀରକୁ ସମାନ ଭାବରେ ବ୍ୟବହାର କରାଯାଏ ନାହିଁ। କାରଣ, କିଛି ଲୋକ ମହିଳାଙ୍କ ନଗ୍ନ ଶରୀରକୁ ଯୌନ ବା କେବଳ ଭୋଗର ବସ୍ତୁ ଭାବରେ ବିବେଚନା କରିବାରେ ଅଭ୍ୟସ୍ତ ହୋଇଥାନ୍ତି। ନାରୀ ନଗ୍ନତା ବିଷୟରେ ଆଉ ଏକ ଦିଗଦର୍ଶନ ଅଛି- ସେଇଟି ହେଲା ନାରୀ ନଗ୍ନତା ନିଷିଦ୍ଧ କାରଣ; ନଗ୍ନ ନାରୀ ଶରୀର କେବଳ ‘ଇରୋଟିକ୍‌’ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ।

ତେବେ, ପ୍ରତ୍ୟେକ ପିତାମାତା ନିଜ ପିଲାଙ୍କୁ ଜୀବନ ବିଷୟରେ ଶିକ୍ଷା ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି। ପ୍ରତ୍ୟେକ ପିତାମାତାଙ୍କର ନିଜ ଇଚ୍ଛା ଅନୁଯାୟୀ ସେମାନଙ୍କ ପିଲାଙ୍କୁ ବଡ଼ କରିବାର ଅଧିକାର ରହିଛି। ଏଥିସହ ଜଣେ ମହିଳାଙ୍କ ନିଜ ଶରୀର ବିଷୟରେ ସ୍ୱୟଂଶାସିତ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ତାଙ୍କ ସମାନତା ଏବଂ ଗୋପନୀୟତାର ମୌଳିକ ଅଧିକାରର ମୂଳରେ ରହିଛି। ସମ୍ବିଧାନର ଧାରା ୨୧ ଅନୁଯାୟୀ ଦିଆଯାଇଥିବା ବ୍ୟକ୍ତିଗତ ସ୍ୱାଧୀନତା ପରିସରରେ ମଧ୍ୟ ଏହା ରହିଛି ବୋଲି ମତଦେଇ ମହିଳାଙ୍କ ବିରୋଧରେ ଆଗତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ଅଦାଲତ।

ସମ୍ବନ୍ଧିତ ଖବର