ମଧୁବାବୁଙ୍କୁ ଭାରତରତ୍ନ ଦାବିରେ ଦସ୍ତଖତ ଅଭିଯାନ

ନୂଆଦିଲ୍ଲୀ/ଭୁବନେଶ୍ବର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ, ସଂସଦ ଭବନରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ତାଙ୍କ ନାମରେ ଏକ ଟ୍ରେନ୍‌ ଚଳାଇବା ଦାବିରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି।

କାର୍ଯ୍ୟକ୍ରମର ଆବାହକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଏହାର କାର୍ଯ୍ୟମର୍ତ୍ତା ମଧୁପ୍ରେମୀଙ୍କୁ ଭେଟୁଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ପରିସରରେ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଏଥିରେ ସର୍ବଭାରତୀୟ ବାର୍‌ ଆସୋସିଏସନ୍‌ ଯୁଗ୍ମ ସାଧାରଣ ସଂପାଦକ ବିଭୁପ୍ରସାଦ ତ୍ରିପାଠୀ, ଭୁବନେଶ୍ବର ଓକିଲ ସଂଘର ସଭାପତି ରବିନାରାୟଣ ସାମନ୍ତରାୟ, ସମ୍ପାଦକ ରାଜକିଶୋର ରାୟ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଅବଦାନ ସଂପର୍କରେ ସ୍ବାକ୍ଷରକାରୀମାନଙ୍କୁ ବୁଝାଇଥିଲେ। ଏହା ପୂର୍ବରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ଚେନ୍ନାଇ, ତିରୁପତି, ପଞ୍ଜାବ, ଆଣ୍ଡାମାନ, ବେଙ୍ଗାଲୁରୁ ଓ ଉତ୍ତରାଖଣ୍ଡ ସମେତ ୧୨ଟି ବିଭିନ୍ନ ରାଜ୍ୟରୁ ଉପରୋକ୍ତ ତିନିଟି ଦାବି ସପକ୍ଷରେ ଦସ୍ତଖତ ସଂଗ୍ରହ କରାଯାଇଛି। ଖୁବ୍‌ ଶୀଘ୍ର ସ୍ବାକ୍ଷର ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଆଇନଜୀବୀ ପ୍ରତିନିଧିମଣ୍ଡଳୀ ଦ୍ବାରା କୁହାଯାଇଛି। ଏହି ଅଭିଯାନରେ ଭୁବନେଶ୍ୱର ଓକିଲ ସଂଘର ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, ଚିନ୍ମୟ କୁମାର ମହାନ୍ତି, ପ୍ରଦୀପ୍ତ କୁମାର ପାଲ, ଅବିନାଶ ମହାନ୍ତି, ସବ୍ୟସାଚୀ ସୂତାର ଓ ଚିତ୍ରସେନ ଶ୍ରୀଚନ୍ଦନ ପ୍ରମୁଖ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର