କୋଭାକ୍ସିନ୍‌ ନେବା ପାଇଁ ସମ୍ମତିପତ୍ରରେ ସ୍ବାକ୍ଷର: ପ୍ରତିକୂଳ ପ୍ରତିକ୍ରିୟା ହେଲେ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: ଆଜି ଦେଶରେ ପ୍ରଥମ ଥର ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଛି। ଏହି ପ୍ରଥମ ଦଫା ଟିକାକରଣରେ ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମୀମାନେ ହିଁ କେବଳ ହିତାଧିକାରୀ ରହିଛନ୍ତି। ସେମାନଙ୍କୁ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ କୋଭିସିଲ୍‌ଡ ଅଥବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ ଦ୍ବାରା ବିକଶିତ କୋଭାକ୍ସିନ୍‌ ଟିକା ଦିଆଯାଇଛି। ତେବେ ଯେଉଁମାନଙ୍କୁ କୋଭାକ୍ସିନ୍‌ ଟିକା ଦିଆଯାଇଛି, କେବଳ ସେମାନଙ୍କୁ ଟିକା ନେବା ପୂର୍ବରୁ ଏକ ସମ୍ମତିପତ୍ରରେ ସ୍ବାକ୍ଷର କରିବାକୁ କୁହାଯାଇଛି। ଏହାଦ୍ବାରା ଟିକା ଯୋଗୁଁ କୌଣସି ପ୍ରକାର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ ସେମାନଙ୍କୁ କ୍ଷତିପୂରଣ ମିଳିବା ପାଇଁ ନିଶ୍ଚିତ କରାଯାଇଛି। ଯେହେତୁ ଉକ୍ତ ଟିକାକୁ କେବଳ ନୈଦାନିକ ପରୀକ୍ଷଣ ସାଧନ ଭିତ୍ତିରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି, ତେଣୁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି। ଆଜି ଏଭଳି ସମ୍ମତିପତ୍ରରେ ସ୍ବାକ୍ଷର କରି କୋଭାକ୍ସିନ୍‌ ଟିକା ନେଇଥିବା ପ୍ରମୁଖ ହିତାଧିକାରୀମାନଙ୍କ ମଧ୍ୟରେ ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ, ଟିକା କମିଟି ମୁଖ୍ୟ ତଥା ନୀତି ଆୟୋଗ ସଦସ୍ୟ ଡା. ଭି କେ ପାଲ ଏବଂ ତାଙ୍କ ପତ୍ନୀ ତଥା ବୈଜ୍ଞାନିକ ଡା. ଶଶି ପାଲ୍‌ ଆଦି ରହିଛନ୍ତି।

ସମ୍ମତିପତ୍ରରେ ରହିଥିବା ସୂଚନାନୁଯାୟୀ, କେବଳ ଜରୁରୀକାଳୀନ ପରିସ୍ଥିତିରେ ସର୍ବସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କୋଭାକ୍ସିନ୍‌ ଏକ ପ୍ରଭୂତ ସତର୍କତାମୂଳକ ପଦକ୍ଷେପ ଭାବେ ବ୍ୟବହାର କରାଯାଉଛି। ଏହାର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଏବେ ବି ଜାରି ରହିଛି ଏବଂ କୋଭିଡ୍‌ ବିରୋଧରେ ଟିକାର ଚୂଡ଼ାନ୍ତ ଫଳପ୍ରଦତା ତଥାପି ସ୍ପଷ୍ଟ ହୋଇପାରିନାହିଁ। ତେବେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରେ ଏହା ଅଭିନବ କରୋନାଭୂତାଣୁ ବିରୋଧରେ ଆଣ୍ଟିବଡି ବିକଶିତ କରିବାରେ ସକ୍ଷମ ବୋଲି ପ୍ରମାଣିତ ହୋଇସାରିଛି। ତେଣୁ ଏହି ଟିକା ନେବା ମାନେ ନୁହେଁ ଯେ କୋଭିଡ୍‌ ସଂକ୍ରାନ୍ତ ଅନ୍ୟାନ୍ୟ ସତର୍କତାଗୁଡ଼ିକୁ ଅଣଦେଖା କରିବା। ଟିକାଗ୍ରହୀତାଙ୍କ ଠାରେ ଟିକାଜନିତ କୌଣସି ପ୍ରକାର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ ସରକାରୀ ନିର୍ଦ୍ଧାରିତ ଡାକ୍ତରଖାନାରେ ମାଗଣାରେ ଉଚ୍ଚମାନର ଚିକିତ୍ସା ଯୋଗାଇ ଦିଆଯିବ। ସେହିପରି ଅତି ଗୁରୁତର ପ୍ରତିକ୍ରିୟା ଦେଖାଗଲେ ଭାରତ ବାୟୋଟେକ୍‌ କମ୍ପାନି ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ। ହିତାଧିକାରୀଙ୍କ ଦ୍ବାରା ସମ୍ମତିପତ୍ରରେ ପ୍ରଦତ୍ତ ସୂଚନାଗୁଡ଼ିକ ସଂରକ୍ଷିତ କରି ରଖାଯିବ ଏବଂ ସେଗୁଡ଼ିକର ଗୋପନୀୟତା ଓ ବିଶ୍ବସନୀୟତା ବଜାୟ ରହିବ। ଏପରି ଘୋଷଣାନାମା ସହିତ ହିତାଧିକାରୀଙ୍କୁ ଏକ ତଥ୍ୟ ଫର୍ଦ୍ଦ ଦିଆଯାଇଛି ଯେଉଁଥିରେ ସେମାନେ ଯନ୍ତ୍ରଣା, ଜ୍ବର ପରି କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ସମ୍ପର୍କରେ ଉଲ୍ଲେଖ କରି ଜଣାଇପାରିବେ।

ସମ୍ବନ୍ଧିତ ଖବର