ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ରଣନୀତି ବୈଠକ ଅନୁଷ୍ଠିତ ହୋଇଛି। ୯୦ ମିନିଟ୍ର ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତିନି ସେନା ମୁଖ୍ୟଙ୍କୁ କହିଛନ୍ତି ଯେ ଆତଙ୍କବାଦକୁ କଡ଼ା ଜବାବ ଦେବା ଆମର ଦୃଢ଼ ଜାତୀୟ ସଂକଳ୍ପ ଏବଂ ଦେଶର ଶତ୍ରୁ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ସଂପୂର୍ଣ୍ଣ ସ୍ବାଧୀନ। ଭାରତୀୟ ସଶସ୍ତ୍ର ବାହିନୀର ବୃତ୍ତିଗତ ସାମର୍ଥ୍ୟ ଉପରେ ପୂର୍ଣ୍ଣ ବିଶ୍ୱାସ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେନା ନିଜର କାର୍ଯ୍ୟାନୁଷ୍ଠାନ ପାଇଁ ସଂପୂର୍ଣ୍ଣ ସ୍ବାଧୀନ ନିଷ୍ପତ୍ତି ନେଇପାରିବ। ପାକିସ୍ତାନ ବିରୋଧରେ କୌଣସି ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସୀମା ଅଞ୍ଚଳର ସୁରକ୍ଷା ସ୍ଥିତି ନେଇ ଆଜି ବିଭିନ୍ନ ସ୍ତରରେ ବିସ୍ତୃତ ସମୀକ୍ଷା କରାଯାଇଛି। ଏହାସହିତ ଅନ୍ତର୍ଜାତୀୟ ସମର୍ଥନ ହାସଲ ପାଇଁ ମଧ୍ୟ ଭାରତ ଅହରହ ପ୍ରୟାସ ଜାରି ରଖିଛି। ଆଜି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍ଏସ୍ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭଲ୍, ସିଡିଏସ୍ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଅନୀଲ ଚୌହାନ, ସ୍ଥଳସେନା ମୁଖ୍ୟ
ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂହ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ସୁରକ୍ଷା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ପୃଥକ ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ବୈଠକ ପରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ମଧ୍ୟ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକ ହେବ।
କେଉଁଠି, କିଭଳି, କେତେବେଳେ ଆକ୍ରମଣ କରିବ ସେନା ନେଇପାରିବ ନିଷ୍ପତ୍ତି: ମୋଦୀ
ସୀମାରେ ଗମ୍ଭୀର ସ୍ଥିତି: ଅଧିକ ସେନା ମୁତୟନ କଲା ପାକିସ୍ତାନ, ଲଗାଇଲା ରାଡାର୍
ଆତଙ୍କବାଦ ଦମନ ଏବେ ଦେଶର ଜାତୀୟ ସଂକଳ୍ପ ଭାରତ ଉପରେ ବିଶ୍ବର ନଜର
ପାକିସ୍ତାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଏକପ୍ରକାର ନିଶ୍ଚିତ ହୋଇ ଯାଇଥିବାରୁ ଏବେ ପୂରା ବିଶ୍ବର ନଜର ଭାରତ ଉପରେ ରହିଛି। ଜମ୍ମୁ-କାଶ୍ମୀରର ପୁଲଵାମାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧୦ ଦିନ ପରେ ୨୦୧୯ରେ ବାଲାକୋଟ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା। ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ପ୍ରତିଶୋଧମୂଳକ ଆକ୍ରମଣ ପାଇଁ ପ୍ରାୟ ସମାନ ସମୟ ନେଇଥିଲା। ଏବେ ପହଲଗାମ ଭଳି ଅତି ବର୍ବର ଆକ୍ରମଣର ପ୍ରତିଶୋଧ ନେବାପାଇଁ ଭାରତ ବହୁତ ବଡ଼ ପ୍ରସ୍ତୁତି ଚଳାଇଥିବାରୁ ଆତଙ୍କିତ ପାକିସ୍ତାନ ଭାରତର ମୁକାବିଲା ପାଇଁ ଚୀନ୍ ଓ ତୁର୍କୀ ଭଳି ରାଷ୍ଟ୍ରର ସହାୟତା ଲୋଡ଼ୁଛି। ଆଜି ସୀମାରେ ପାକିସ୍ତାନ ଅଧିକ ସୈନ୍ୟ ମୁତୟନ କରିଛି। ପୂର୍ବରୁ ପ୍ରତ୍ୟାହାର ହୋଇଥିବା କେତେକ ୟୁନିଟ୍କୁ ପାକ୍ ସେନା ପୁନଃମୁତୟନ କରିଥିବା ବେଳେ ପହଲଗାମ ଆକ୍ରମଣ ପରଠାରୁ ବିଭିନ୍ନ ପର୍ଯ୍ୟାୟରେ ଭାରତର ସୈନ୍ୟ ମୁତୟନ ବଢ଼ିଛି।
ଅନ୍ୟପକ୍ଷେ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ମଧ୍ୟ ଆଜି ବିଏସ୍ଏଫ୍, ସିଆର୍ପିଏଫ୍ ଏବଂ ଏନ୍ଏସ୍ଜି ମୁଖ୍ୟଙ୍କ ସହ ଉଚ୍ଚସ୍ତରୀୟ ବୈଠକ ହୋଇଛି। କେନ୍ଦ୍ର ଗୃହ ସଚିବ ଗୋବିନ୍ଦମୋହନ ମଧ୍ୟ ଏକ ପୃଥକ ବୈଠକରେ ସାମରିକ ଓ ଅର୍ଦ୍ଧସାମରିକ ବାହିନୀର ମୁତୟନ ଏବଂ ଜରୁରୀ ସୁରକ୍ଷା ରଣନୀତି ନେଇ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତର କୂଟନୈତିକ କାର୍ଯ୍ୟାନୁଷ୍ଠାନ ଜୋର୍ଦାର ହୋଇଛି ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ସେନାକୁ ସବୁଜ ସଙ୍କେତ ଦେଇଛନ୍ତି।