ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆସନ୍ତାକାଲି ବହୁ ପ୍ରତୀକ୍ଷିତ ସିଗ୍ନେଚର ବ୍ରିଜ୍ର ଲୋକାର୍ପଣ ହେବାକୁ ଯାଉଛି। ଦିଲ୍ଲୀର ‘ଏଫିଲ୍ ଟାୱାର୍’ କୁହାଯାଉଥିବା ଏହି ଭବ୍ୟ ବ୍ରିଜ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଉଦ୍ଘାଟନ କରିବେ ଏବଂ ସୋମବାରଠାରୁ ଏହା ଲୋକଙ୍କ ପାଇଁ ଉତ୍ସର୍ଗ ହେବ। ଯମୁନା ନଦୀ ଉପରେ ନିର୍ମିତ ଏହି ପୋଲ ଦ୍ବାରା ଉତ୍ତର ଓ ଉତ୍ତରପୂର୍ବ ଦିଲ୍ଲୀ ମଧ୍ୟରେ ଚଳାଚଳ ସୁବ୍ୟବସ୍ଥିତ ହୋଇପାରିବ। ଏହାଦ୍ବାରା ଭ୍ରମଣ ସମୟ ଅନେକାଂଶରେ ହ୍ରାସ ପାଇବ। ଏହି ପୋଲ କେବଳ ଲୋକଙ୍କ ଯିବାଆସିବାରେ ସହାୟକ ହେବନାହିଁ, ଏହା ରାଜ୍ୟର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ମଧ୍ୟ ପାଲଟି ପାରିବ। ୨୦୦୪ରେ ସିଗ୍ନେଚର ବ୍ରିଜ୍ର ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା। ୨୦୦୭ରେ ଏହାକୁ ଦିଲ୍ଲୀ କ୍ୟାବିନେଟ୍ ମଞ୍ଜୁରି ଦେଇଥିଲା। ୨୦୧୦ ଅକ୍ଟୋବରରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପ୍ରସ୍ତାବ ରହିଥିଲା ଏବଂ ଏଥିପାଇଁ ୧,୧୩୧ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଅନେକ ଥର ଶେଷ ସମୟସୀମା ବଦଳିଥିଲା। ଏହାଦ୍ବାରା ୨୦୧୫ରେ ଏହି ପୋଲ ପାଇଁ ବ୍ୟୟବରାଦ ୧,୫୯୪ କୋଟି ଟଙ୍କାକୁ ବଢ଼ିଥିଲା। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ୧୯୯୭ରେ ଯେତେବେଳେ ଏହି ପୋଲର ନିର୍ମାଣ ନେଇ ପରିକଳ୍ପନା କରାଯାଇଥିଲା, ଏଥିପାଇଁ ୪୬୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ଏହି ପୋଲର ଉଚ୍ଚତା ୧୫୪ ମିଟର। ଏଥିରେ ୪ଟି ଲିଫ୍ଟ ଲଗାଯାଇଛି। ଲିଫ୍ଟ ଦ୍ବାରା ଲୋକମାନେ ଯେତେବେଳେ ଏହା ଉପରେ ପହଞ୍ଚିବେ, ଏଠାରୁ ସେମାନେ ସମ୍ପୂର୍ଣ୍ଣ ଦିଲ୍ଲୀକୁ ଦେଖିପାରିବେ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହାର ନିର୍ମାଣ ପାଇଁ ବିଶେଷ ଧ୍ୟାନ ଦେଇଥିବା କୁହାଯାଉଛି।
ଆସନ୍ତାକାଲି ଏହି ପୋଲର ଉଦ୍ଘାଟନ ହେବାକୁ ଥିବା ବେଳେ ଉଦ୍ଘାଟନୀ ଉତ୍ସବକୁ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ। ଏହାକୁ ନେଇ ବିବାଦ ଉପୁଜିଛି। ଏହାଦ୍ବାରା ପ୍ରୋଟୋକଲ୍ ଉଲ୍ଲଂଘନ ହୋଇଛି ବୋଲି ତିୱାରୀ ଅଭିଯୋଗ କରିଛନ୍ତି। ଏହି ପୋଲର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସେ ଖଜୁରି ଖାସ୍ଠାରେ ଅନଶନରେ ବସିଥିଲେ। ଏହି ଅଞ୍ଚଳର ସାଂସଦ ହିସାବରେ ତାଙ୍କୁ ଉଦ୍ଘାଟନୀ ଉତ୍ସବକୁ ନିମନ୍ତ୍ରଣ ନକରିବା ପରିତାପର ବିଷୟ ବୋଲି ତିୱାରୀ କହିଛନ୍ତି।
୧୪ ବର୍ଷ ପ୍ରତୀକ୍ଷାର ଅନ୍ତ, ସିଗ୍ନେଚର ବ୍ରିଜ୍ର ଲୋକାର୍ପଣ ଆଜି
/sambad/media/post_attachments/wp-content/uploads/2018/11/delhi-bridge-759.jpg)