ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କ ଶୀର୍ଷ ସମ୍ମିଳନୀ ପୂର୍ବରୁ ଦୁଇ ଦେଶ ମଧ୍ୟରେ ୨+୨ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସେମାନଙ୍କ ରୁଷ ପ୍ରତିପକ୍ଷଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଦୁଇ ଦେଶ ମଧ୍ୟରେ ମୋଟ ୪ଟି ରାଜିନାମା ସ୍ବାକ୍ଷର ହୋଇଛି। ଏଥିରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।

Advertisment

ଅସ୍ତ୍ରଶସ୍ତ୍ର ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ନିମନ୍ତେ ବହୁପ୍ରତୀକ୍ଷିତ ୫,୧୦୦ କୋଟି ଟଙ୍କାର ୬୦୦,୦୦୦ ଏକେ-୨୦୩ ଆକ୍ରାମକ ରାଇଫଲ ନିର୍ମାଣ ଚୁକ୍ତି ହୋଇଛି। ଉତ୍ତରପ୍ରଦେଶର ଆମେଥି ଜିଲ୍ଲାରେ ଥିବା କାରଖାନାରେ ଏହା ନିର୍ମାଣ ହେବ। ଭାରତ-ରୁଷିଆ ମଧ୍ୟରେ ସାମରିକ ଓ ସାମରିକ ପ୍ରଯୁକ୍ତି ସହଯୋଗ ଅନ୍ତଃସରକାରୀ କମିସନର ବିଂଶତିତମ ବୈଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତାଙ୍କ ରୁଷୀୟ ପ୍ରତିପକ୍ଷ ସର୍ଗେ ଶୋଇଗୁଙ୍କ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି।

ଅନ୍ୟଗୁରୁତ୍ବପୂର୍ଣ୍ଣ ରାଜିନାମାଟି ହେଉଛି ଦୁଇ ଦେଶ ମଧ୍ୟରେ ୨୦୨୧ରୁ ୨୦୩୧ ମସିହା ପର୍ଯ୍ୟନ୍ତ ୧୦ ବର୍ଷିଆ ସାମରିକ-ବୈଷୟିକ ସହଯୋଗ ଚୁକ୍ତିର ନବୀକରଣ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବାର୍ଷିକ ଶିଖର ସମ୍ମିଳନୀ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଉକ୍ତ ରାଜିନାମା ହୋଇଛି। ଶନିବାର ସରକାର ଘୋଷଣା କରିଥିଲେ ଯେ, ଦୁଇ ଦେଶର ମିଳିତ ପ୍ର‌ୟାସରେ ଉତ୍ତରପ୍ରଦେଶରେ ଏକେ-୨୦୩ ରାଇଫଲ ନିର୍ମାଣ ପାଇଁ ଯୋଜନା ଚୂଡ଼ାନ୍ତ ହୋଇଯାଇଛି।

ଏହି ଯୌଥ ଉଦ୍ୟୋଗର ନାଁ ଦିଆଯାଇଛି ଇଣ୍ଡୋ-ରଷିଆନ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ (ଆଇଆର୍‌ଆର୍‌ପିଏଲ୍‌)। ଭାରତର ଆଡ୍‌ଭାନ୍ସଡ ୱିପନ୍ସ ଆଣ୍ଡ୍ ଇକ୍ବିପ୍‌ମେଣ୍ଟ ଇଣ୍ଡିଆ ଲିମିଟେଡ୍‌ ଓ ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ୍ ଏବଂ ରୁଷିଆର ରୋସୋବୋରୋନେକ୍ସପୋର୍ଟ ଆଣ୍ଡ୍ କାଲାଶ୍‌ନିକୋଭ୍‌ ମିଳିତ ଭାବେ ଏହି ଯୌଥ ଉଦ୍ୟୋଗ ତିଆରି କରିଛନ୍ତି। ଭାରତ ଓ ରୁଷିଆ ମଧ୍ୟରେ ପୁଞ୍ଜିର ଭାଗ ରହିବ ଯଥାକ୍ରମେ ୫୦.୫% ଓ ୪୯.୫%।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ରୁଷିଆ ହେଉଛି ଭାରତର ସର୍ବପୁରାତନ ବନ୍ଧୁ ଏବଂ ଦୀର୍ଘ ସମୟ ଭିତରେ ଏହି ବନ୍ଧୁତାରେ କଳାଛିଟା ଲାଗିନାହିଁ। ବହୁପାକ୍ଷିକ ସ୍ବାର୍ଥ ଏବଂ ବିଶ୍ବର ଶାନ୍ତି ଓ ସମୃଦ୍ଧି ଦିଗରେ ଦୁଇ ଦେଶ କାମ କରିବେ। ସେ କହିଲେ ଯେ ଭାରତ କୌଣସି ଦେଶକୁ ଟାର୍ଗେଟ କରି ରୁଷିଆ ସହ ବନ୍ଧୁତା ବଢ଼ାଉ ନାହିଁ। ଏହି ବନ୍ଧୁତା ଦ୍ବାରା ସମଗ୍ର ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ବଜାୟ ରହିବା ଆଶା କରାଯାଉଛି ବୋଲି ସେ କହିଥିଲେ।

ଆମେଥିରେ ହେବ ନିର୍ମାଣ:୧୦ ବର୍ଷିଆ ସାମରିକ ସହଯୋଗର ନବୀକରଣ
ଏକେ-୨୦୩ ରାଇଫଲ ନିର୍ମାଣ ହେଲେ ତାହା ତିନି ଦଶନ୍ଧି ତଳେ ବ୍ୟବହୃତ ଇନସାସ୍‌ ରାଇଫଲର ସ୍ଥାନ ନେବ। ଏହି ଆଧୁନିକ ଅସ୍ତ୍ର ଭାରତୀୟ ସୈନିକମାନଙ୍କର ମନବଳ ଓ ଆକ୍ରାମକ କ୍ଷମତା ବୃଦ୍ଧି କରିବ। ବର୍ତ୍ତମାନ ଓ ଭବିଷ୍ୟତର ଆହ୍ବାନକୁ ମୁକାବିଲା କରିବାରେ ଏହା ସାହାଯ୍ୟ କରିବ।

ଭାରତ ମୋଟ ୬୦୧,୨୪୭ଟି ରାଇଫଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ସେଥିମଧ୍ୟରୁ ପ୍ରଥମ ୭୦,୦୦୦ ନିର୍ମାଣ ବେଳେ କାଲିଶ୍‌ନିକୋଭ୍‌ଠାରୁ ଆଇଆର୍‌ଆର୍‌ପିଏଲ୍‌ ପ୍ରଯୁକ୍ତି ଶିଖିବ। ଅର୍ଥାତ୍ ରୁଷିଆଠାରୁ ଭାରତୀୟମାନେ ଜ୍ଞାନକୌଶଳ ହାସଲ କରିବେ। ପରବର୍ତ୍ତୀ ୫,୩୧,୦୦୦ ରାଇଫଲ ସେହି ଜ୍ଞାନକୌଶଳକୁ ପ୍ରୟୋଗ କରି ସମ୍ପୂର୍ଣ୍ଣ ସ୍ବଦେଶୀ ଭାବେ ନିର୍ମାଣ କରାଯିବ। ୧୦ ବର୍ଷ ଭିତରେ ସମସ୍ତ ରାଇଫଲ ନିର୍ମାଣ ଶେଷ ହେବ।